ହୋର୍ମୁଜ ପ୍ରଣାଳୀ (Strait of Hormuz) ନିକଟରେ ଏକ କାଠ କାର୍ଗୋ ଜାହାଜରେ ନିଆଁ ଲାଗିବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି। ଜାହାଜଟି ଓଲଟି ପଡ଼ିବାରୁ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଜାହାଜରେ ସମୁଦାୟ ୧୮ ଜଣ ଭାରତୀୟ ଥିଲେ, ଯେଉଁଥିରୁ ୧୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆହତମାନଙ୍କର ଦୁବାଇରେ ଚିକିତ୍ସା ଚାଲିଛି ଏବଂ ଘଟଣାର ତଦନ୍ତ ଜାରି ରହିଛି।
ଶୁକ୍ରବାର ଦିନ ହୋର୍ମୁଜ ନିକଟରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଏକ କାଠ କାର୍ଗୋ ଜାହାଜରେ ନିଆଁ ଲାଗିବା ପରେ ତାହା ସମୁଦ୍ରରେ ଓଲଟି ପଡ଼ିଥିଲା। ସରକାରୀ ସୂତ୍ର ଅନୁଯାୟୀ, ଦୁର୍ଘଟଣା ପରେ ସେହି ବାଟ ଦେଇ ଯାଉଥିବା ଅନ୍ୟ ଏକ ଜାହାଜ ତୁରନ୍ତ ସାହାଯ୍ୟ କରିଥିଲା ଏବଂ ୧୭ ଜଣ ଭାରତୀୟଙ୍କୁ ବଞ୍ଚାଇଥିଲା। ଦୁବାଇରେ ଥିବା ଭାରତୀୟ ଦୂତାବାସର ଅଧିକାରୀମାନେ ଉଦ୍ଧାର ହୋଇଥିବା ନାବିକମାନଙ୍କୁ ଭେଟି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ଜାହାଜରେ କେମିତି ନିଆଁ ଲାଗିଲା, ତାହା ଏବେ ବି ଅସ୍ପଷ୍ଟ ରହିଛି।
ଚୀନ୍ ଟ୍ୟାଙ୍କର ଉପରେ ଆକ୍ରମଣ
ହୋର୍ମୁଜ ପ୍ରଣାଳୀ ନିକଟରେ ଏକ ଚୀନ୍ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହେବା ପରେ ସାମୁଦ୍ରିକ କର୍ମଚାରୀଙ୍କ ମଧ୍ୟରେ ଭୟ ଓ ଉତ୍ତେଜନା ବଢ଼ିବାରେ ଲାଗିଛି। ଚୀନ୍ ଗଣମାଧ୍ୟମ ଅନୁଯାୟୀ, ଇରାନ ଯୁଦ୍ଧ ଆରମ୍ଭ ହେବା ପରେ କୌଣସି ଚୀନ୍ ତୈଳ ଟ୍ୟାଙ୍କର ଉପରେ ଏହା ପ୍ରଥମ ବଡ଼ ଆକ୍ରମଣ। ଏହି ଜାହାଜର ନାମ JV Innovation। ଏହା ଏକ ବଡ଼ ତୈଳ ଏବଂ କେମିକାଲ ଟ୍ୟାଙ୍କର, ଯାହା ମାର୍ଶଲ ଆଇଲ୍ୟାଣ୍ଡ ପତାକା ଅଧୀନରେ ଚାଲିଥାଏ।
ଜାହାଜର ଚିଫ୍ ଇଞ୍ଜିନିୟର ଲିଉ କହିଛନ୍ତି ଯେ, ଏହି ଆକ୍ରମଣ କିଏ କରିଛି କିମ୍ବା ଏହା ଏକ ଯୋଜନାବଦ୍ଧ ଆକ୍ରମଣ କି ଦୁର୍ଘଟଣା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଜାହାଜରେ ସମୁଦାୟ ୨୨ ଜଣ ଲୋକ ଥିଲେ, ଯେଉଁଥିରେ ୧୦ ରୁ ଅଧିକ ଚୀନ୍ ନାଗରିକ ଏବଂ ଅନ୍ୟମାନେ ମ୍ୟାନ୍ମାର ଓ ଇଣ୍ଡୋନେସିଆର କର୍ମଚାରୀ ଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି।