ଇରାନ ଆଉ ଥରେ ୟୁଏଇ ଉପରେ ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ କରିଛି, ଯାହା ପରେ ୟୁଏଇର ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ହୋଇଉଠିଛି। ବଢୁଥିବା ଉତ୍ତେଜନା ମଧ୍ୟରେ ଇରାନର ଆକ୍ରମଣ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ରେକର୍ଡ ପ୍ରସ୍ତୁତ କରିବା ପାଇଁ ୟୁଏଇ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛି। ଯୁଦ୍ଧ ସମୟରେ ଇରାନ ୨୦୦୦ରୁ ଅଧିକ ଡ୍ରୋନ୍ ଏବଂ ଶହ ଶହ ମିସାଇଲ୍ ମାଡ଼ କରିଥିବା ୟୁଏଇ ଦାବି କରିଛି।
ରିପୋର୍ଟ ଅନୁଯାୟୀ, ଇରାନ ଅନେକ ବାଲିଷ୍ଟିକ୍ ମିସାଇଲ୍, କ୍ରୁଜ୍ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରିଛି। ୟୁଏଇର ଏୟାର ଡିଫେନ୍ସ ସିଷ୍ଟମ ମିସାଇଲଗୁଡ଼ିକୁ କ୍ରମାଗତ ଭାବେ ଇଣ୍ଟରସେପ୍ଟ (intercept) କରୁଛି। ୟୁଏଇର ନ୍ୟାସନାଲ୍ ଏମରଜେନ୍ସି କ୍ରାଇସିସ୍ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ କେବଳ ସରକାରୀ ଅପଡେଟ୍ ଉପରେ ଭରସା କରିବାକୁ ଅପିଲ୍ କରିଛି। ଗୋଟିଏ ରାତି ପୂର୍ବରୁ ଆମେରିକା ଏବଂ ଇରାନ ମଧ୍ୟରେ ମିସାଇଲ୍ ସଂଘର୍ଷ ପରେ ଏହି ଆକ୍ରମଣ ହୋଇଛି।
ଏହା ପୂର୍ବରୁ ସୋମବାର ଦିନ ମଧ୍ୟ ଇରାନ ୟୁଏଇ ଉପରେ ୧୫ଟି ମିସାଇଲ୍ ଏବଂ ୪ଟି ଡ୍ରୋନ୍ ଦ୍ୱାରା ଆକ୍ରମଣ କରିଥିଲା। ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱର ଅନେକ ନେତା ୟୁଏଇ ଉପରେ ହୋଇଥିବା ଏହି ଆକ୍ରମଣକୁ ନିନ୍ଦା କରିଥିଲେ। ଆମେରିକା ଏବଂ ଇରାନ ମଧ୍ୟରେ ଏପ୍ରିଲ ୮ ତାରିଖରେ ସିଜଫାୟାର୍ (ceasefire) ହୋଇଥିଲା, କିନ୍ତୁ ୩୦ ଦିନର ଶାନ୍ତି ପରେ ଏବେ ମିଡିଲ୍ ଇଷ୍ଟରେ ଉତ୍ତେଜନା ବଢୁଥିବା ଦେଖାଯାଉଛି।
ଇରାନ ଆକ୍ରମଣର ରେକର୍ଡ ରଖିବ ୟୁଏଇ
ଇରାନର ଆକ୍ରମଣ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ପୁରା ରେକର୍ଡ ପ୍ରସ୍ତୁତ କରିବା ପାଇଁ ୟୁଏଇ ଏକ ନୂଆ କମିଟି ଗଠନ କରିଛି। ଏହି କମିଟିର କାମ ହେବ ଆକ୍ରମଣରେ ହୋଇଥିବା ଜୀବନ ଓ ସମ୍ପତ୍ତିର କ୍ଷୟକ୍ଷତିର ପ୍ରମାଣ ଏକାଠି କରିବା। ପରବର୍ତ୍ତୀ ସମୟରେ ଏହି ପ୍ରମାଣ ଆଧାରରେ ୟୁଏଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ନ୍ୟାୟ ଦାବି କରିବ।
ସରକାରୀ ସମ୍ବାଦ ସଂସ୍ଥା WAM ଅନୁଯାୟୀ, ଏହି କମିଟିର ନେତୃତ୍ୱ ୟୁଏଇର ଆଟର୍ଣ୍ଣି ଜେନେରାଲ୍ ନେବେ। ଏଥିରେ ଅନେକ ମନ୍ତ୍ରଣାଳୟ ଏବଂ ସରକାରୀ ଏଜେନ୍ସିର ଅଧିକାରୀମାନେ ସାମିଲ ହେବେ। ଆବଶ୍ୟକ ପଡ଼ିଲେ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆଯାଇପାରେ। କମିଟି ଫଟୋ, ବୈଷୟିକ ରିପୋର୍ଟ ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିବ।
୨୦୦୦ରୁ ଅଧିକ ଡ୍ରୋନ୍ ମାଡ଼ କରିଥିବା ଦାବି
ୟୁଏଇ ଅନୁଯାୟୀ, ଇରାନ ଯୁଦ୍ଧ ସମୟରେ ୨୦୦୦ରୁ ଅଧିକ ଡ୍ରୋନ୍, ଶହ ଶହ ବାଲିଷ୍ଟିକ୍ ମିସାଇଲ୍ ଏବଂ ଅନେକ କ୍ରୁଜ୍ ମିସାଇଲ୍ ମାଡ଼ କରିଛି। ଅଧିକାଂଶ ଆକ୍ରମଣକୁ ଏୟାର ଡିଫେନ୍ସ ସିଷ୍ଟମ ଅଟକାଇ ଦେଇଥିଲା, ତଥାପି ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ତୈଳ ଏବଂ ଶକ୍ତି କେନ୍ଦ୍ର ସହିତ ଗୁରୁତ୍ୱପୂର୍ଣ୍ଣ ଅଟ୍ଟାଳିକା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
କ୍ଷତିପୂରଣ ଦାବି କରିବ ୟୁଏଇ
ୟୁଏଇ ପୂର୍ବରୁ ମଧ୍ୟ ଇରାନକୁ ଆକ୍ରମଣର ଦାୟିତ୍ୱ ନେବାକୁ ଏବଂ କ୍ଷୟକ୍ଷତି ଭରଣା କରିବାକୁ ଦାବି କରିସାରିଛି। ଏବେ ଏହି କମିଟି ମାନବୀୟ, ଆର୍ଥିକ ଏବଂ ସମ୍ପତ୍ତି କ୍ଷୟକ୍ଷତିର ପୁରା ହିସାବ ପ୍ରସ୍ତୁତ କରିବ, ଯେପରି ଆନ୍ତର୍ଜାତୀୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଆମେରିକା ସହିତ ୟୁଏଇର ସହଯୋଗ ଇରାନର ସୁରକ୍ଷା ବିରୋଧୀ ବୋଲି ଇରାନ ଦେଇଥିବା ବୟାନ ଉପରେ ୟୁଏଇ ଅସନ୍ତୋଷ ପ୍ରକାଶ କରିଛି। ୟୁଏଇ ବିଦେଶ ମନ୍ତ୍ରଣାଳୟ କହିଛି ଯେ କୌଣସି ଦେଶ ସହିତ ପ୍ରତିରକ୍ଷା ସହଯୋଗ କରିବା ତାହାର ନିଜସ୍ୱ ଅଧିକାର।