ସୋମବାର ଅପରାହ୍ନରେ ଚୀନର ଲିଉୟାଙ୍ଗ ସହରରେ ହୋଇଥିବା ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୭ କୁ ବୃଦ୍ଧି ପାଇଛି ଓ ବର୍ତ୍ତମାନ ମଧ୍ୟ ଜଣେ ନିଖୋଜ ଅଛନ୍ତି । ଏହି ବିସ୍ଫୋରଣ ଚୀନର ଏକ ବାଣ କାରଖାନାରେ ଘଟିଥିଲା । ତେବେ ଘଟଣାସ୍ଥଳରେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପ୍ରାୟତଃ ସମାପ୍ତ ହୋଇଛି। ହୁଆଶେଙ୍ଗ ଫାୟାରୱାର୍କସ୍ ମ୍ୟାନୁଫ୍ୟାକଚରିଂ ଆଣ୍ଡ ଡିସପ୍ଲେ କମ୍ପାନୀର ପ୍ଲାଣ୍ଟରେ ଏହି ବିସ୍ଫୋରଣ ଘଟିଥିଲା।
ଏହି ବିସ୍ଫୋରଣରେ ପ୍ରାୟ ୫୧ ଜଣ ଆହତ ହୋଇଥିଲେ ଓ ବର୍ତ୍ତମାନ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଆହତଙ୍କୁ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆଜିର ସୂଚନା ଅନୁଯାୟୀ ମୃତ୍ୟୁ ସଂଖ୍ୟା ୩୭ କୁ ବୃଦ୍ଧି ପାଇଛି। ଘଟଣା ପରେ ସ୍ଥାନୀୟ କତ୍ତୃପକ୍ଷ ଜରୁରୀକାଳୀନ ସ୍ଥିତିରେ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ ଓ ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରୁ ୧୫୦୦ ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ ।
ସୁରକ୍ଷା ବ୍ୟବସ୍ଥାରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ସୁରକ୍ଷା ବ୍ୟବସ୍ଥା ଅବହେଳାରୁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ୮ ଜଣଙ୍କୁ ଅଟକ ରଖିଛି ସ୍ଥାନୀୟ ପୋଲିସ । ଦୁଇଟି ବାରୁଦ ରଖାଯାଇଥିବା ଗୋଦାମ ନିକଟରେ ବିସ୍ଫୋରଣ ଘଟିଥିଲା । ଘଟଣା ପରେ ସ୍ଥିତିକୁ ଦୃଷ୍ଟିରେ ରଖି ଉଦ୍ଧାରକାରୀ ଦଳ ନିକଟସ୍ଥ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି । ବିସ୍ଫୋରଣ ହୋଇଥିବା ଅଞ୍ଚଳର ଚାରିପାଖରେ ଏକ ବଫର ଜୋନ ମଧ୍ୟ ପ୍ରତିଷ୍ଠା କରାଯାଇଛି।