ନୂଆଦିଲ୍ଲୀ: ଏବେ ଆଉ ଏକ ଭାଇରସ୍ ମୁଣ୍ଡବିନ୍ଧାର କାରଣ ପାଲଟିଛି । କ୍ୟାରିବିୟନ୍ ପ୍ରିନେସ୍ସ କ୍ରୁଜରେ ନୋରୋ ଭାଇରସ୍ ଆତଙ୍କ ଦେଖାଦେଇଛି । କ୍ରୁଜରେ ଭିତରେ ୧୧୫ ଜଣ ଯାତ୍ରୀ ଓ କର୍ମଚାରୀ ନୋରୋ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ମୋଟ ୩୧୧୬ ଜଣ ଯାତ୍ରୀଙ୍କ ମଧ୍ୟରେ ୧୦୨ ଜଣ ଯାତ୍ରୀ ଏବଂ ୧୩ ଜଣ କ୍ରୁ ସଦସ୍ୟ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ।
ଏପ୍ରିଲ ୨୮ ତାରିଖରେ ଫୋର୍ଟ ଲଡରଡେଲ୍ ରୁ କ୍ରୁଜଟି ଯାତ୍ରା ଆରମ୍ଭ କରିଥିଲା । ମେ ୧୧ରେ କୈନାବେରଲ୍ ବନ୍ଦରରେ ପହଁଚିବାର ରହିଛି । କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଁଚିବା ପୂର୍ବରୁ ଭାଇରସ୍ ଆତଙ୍କ ସୃଷ୍ଟି ହୋଇଛି । ଜାହାଜଟି ଅରୁବା, ବୋନେର୍, ପ୍ୟୁର୍ଟି ରିକୋ ଏବଂ ବାହମାସରେ ରହଣି କରିଥିଲା । ପ୍ରିନେସେସ୍ କ୍ରୁଜ କମ୍ପାନୀ ଏହାକୁ ପେଟ ସମସ୍ୟା ବୋଲି କହିଛି ।
ନୋରୋ ଭାଇରସ୍ ଲକ୍ଷଣ-
ସେଣ୍ଟର୍ ଫର୍ ଡିଜିସ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍ (ସିଡିସି) ଅନୁସାରେ, ରୋଗ ମୁଖ୍ୟ ଲକ୍ଷଣ ହେଉଛି ବାନ୍ତି ହେବା ଏବଂ ପେଟ ବ୍ୟଥା ହେବା । ଏହି ଭୂତାଣୁ ଆବଦ୍ଧ ସ୍ଥାନରେ ଅଧିକ ବ୍ୟାପିଥାଏ । ସଂକ୍ରମିତ ବ୍ୟକ୍ତି ଆଉ କୌଣସି ଖାଦ୍ୟ ପାନୀୟ ଛୁଇଁଲେ, ଗୋଟିଏ ବାଥରୁମ ବ୍ୟବହାର କଲେ କିମ୍ବା ଅନ୍ୟ କାହା ସମ୍ପର୍କରେ ଆସିଲେ ଏହି ରୋଗ ବ୍ୟାପିଥାଏ । ପ୍ରାୟ ତିନି ଦିନ ପର୍ଯ୍ୟନ୍ତ ଏହାର ପ୍ରକୋପ ରହିଥାଏ । ସେଥିପାଇଁ କ୍ରୁଜରେ ଏହି ଆତଙ୍କ ଦେଖାଦେଇଛି । ସିଡିସି ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । ସମସ୍ତ ଯାତ୍ରୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି ।