ଭୁବନେଶ୍ୱର: ରାଜ୍ୟ ସିନେମାର ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶନିବାର ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର ପୁରସ୍କାର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୩ ଓ ୨୦୨୪ ବର୍ଷ ପାଇଁ ମୋଟ୍ ୬୨ଟି ବିଭାଗରେ ବିଭିନ୍ନ ଚଳଚ୍ଚିତ୍ରରେ ଶ୍ରେଷ୍ଠତ୍ଵ ହାସଲ କରିଥିବା କଳାକାରଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି । ଚଳିତ ବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ, ୨୦୨୩ ବର୍ଷ ପାଇଁ ବରିଷ୍ଠ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଏବଂ ୨୦୨୪ ବର୍ଷ ପାଇଁ ବରିଷ୍ଠ ଅଭିନେତ୍ରୀ ନମ୍ରତା ଦାସଙ୍କୁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ’ ପ୍ରଦାନ କରାଯାଇଛି । ଏହା ସହ ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା।
ସେହିପରି ୨୦୨୩ ବର୍ଷ ପାଇଁ ୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ସେହି ବର୍ଷ ପାଇଁ ‘ପୁଷ୍କରା’ ଏବଂ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି । 'ଧୋରେ ବାବୁ ଧୋ' ପାଇଁ ହରିହର ମହାପାତ୍ର ୨୦୨୩ର ଶ୍ରେଷ୍ଠ ଅଭିନେତାର ପୁରସ୍କାର ଜିତିଛନ୍ତି । ନୈନା ଦାସ ଓ ସୁପ୍ରିୟା ନାୟକଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ ଚଳଚ୍ଚିତ୍ର ପାଇଁ ନୈନା ଦାସ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ସମ୍ମାନ ମଧ୍ୟ ହାସଲ କରିଛନ୍ତି । ଏହାସହ ‘ମୋ ବୋଉ ମୋ ଗାଁ’ ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ସମ୍ମାନିତ ହେବାକୁ ଯାଉଛି। ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ବିଷ୍ଣୁ ମୋହନ କବି (ମୋ ମାଟି ମୋ ପାଇଁ ବାସଚନ୍ଦନ, ମହର୍ଷୀ) ଏବଂ ଶ୍ରେଷ୍ଠ ପଚ୍ଛଦପଟ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ।
୨୦୨୪ ବର୍ଷ ପାଇଁ ‘ଆଶ୍ରମ’ ଚଳଚ୍ଚିତ୍ର ଶେଷ୍ଠ ସ୍ଥାନ ଅଧିକାର କରିଛି । ଏହି ଫିଲ୍ମର ନିର୍ଦ୍ଦେଶକ ଅଶୋକ ପତିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଛି । ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତିଙ୍କୁ 'ପାବାର' ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ମୁଖ୍ୟ ଅଭିନେତା ସମ୍ମାନ ମିଳିବ। 'ଭଗିଆ ଭାରିଜା' ଚଳଚ୍ଚିତ୍ର ପାଇଁ ଦେବଯାନୀ ଦେଘୁରିଆ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି । ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ରୂପକ କୁମାର ପରିଡ଼ା (ଆଶ୍ରମ) ଏବଂ ଶ୍ରେଷ୍ଠ ପଚ୍ଛଦପଟ ଗାୟିକା ଅର୍ପିତା ଚୌଧୁରୀ (ଚନ୍ଦ୍ରବଂଶୀ) ।