ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ପ୍ରଥମ ସମନ୍ୱୟ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରାର ସୁଚାରୁ ପରିଚାଳନା, ଜନଗହଳି ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ହୋଇଥିବା ଏହି ବୈଠକ ଶେଷରେ ହୋହଲ୍ଲା, ଯୁକ୍ତିତର୍କ ଓ ପାଟିତୁଣ୍ଡ ଦେଖିବାକୁ ମିଳିଛି। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଅନେକ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା।
ବିଶେଷକରି ସ୍ୱାସ୍ଥ୍ୟ ସେବା, ଔଷଧ ଯୋଗାଣ ଓ ଡାକ୍ତର ଅଭାବ ପ୍ରସଙ୍ଗରେ ବୈଠକ ସରଗରମ ହୋଇଯାଇଥିଲା। ବହୁ ସଦସ୍ୟ ସ୍ୱାସ୍ଥ୍ୟ ବିଭାଗର ଅପର୍ଯ୍ୟାପ୍ତ ପ୍ରସ୍ତୁତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏହାସହ ବିଦ୍ୟୁତ ସମସ୍ୟାକୁ ନେଇ ମଧ୍ୟ ତୀବ୍ର କ୍ଷୋଭ ଦେଖାଯାଇଥିଲା। ସହରରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ନେଇ ଟାଟା ପାୱାର ଅଧିକାରୀଙ୍କୁ ସଭ୍ୟମାନେ ଘେରିଥିବା ବେଳେ ସେମାନଙ୍କୁ ମତ ରଖିବାକୁ ସୁଯୋଗ ମଧ୍ୟ ଦିଆଯାଇନଥିଲା।
ଏହି ବର୍ଷ ରଥଯାତ୍ରା ପାଇଁ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସହରରେ ବ୍ୟାପକ ସିସିଟିଭି ଲଗାଯିବା ସହ ୨୨୦ ପ୍ଲାଟୁନ ପୋଲିସ ଫୋର୍ସ ଓ ସ୍ୱତନ୍ତ୍ର ସୁରକ୍ଷା ବଳ ନିୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଓ ଶାନ୍ତିଶୃଙ୍ଖଳା ରକ୍ଷାକୁ ନେଇ ମଧ୍ୟ ପୋଲିସ ପକ୍ଷରୁ ବିଶେଷ ଯୋଜନା ତିଆରି ହେଉଛି।
ଭକ୍ତମାନଙ୍କ ସୁବିଧା ପାଇଁ ଏଥର ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ। ପୂର୍ବତଟ ରେଳବାଇ ପକ୍ଷରୁ ୬ଟି ଡିସ୍ପ୍ଲେ ବୋର୍ଡ, ଟିକେଟ କାଉଣ୍ଟର ଓ ଅଟୋମେଟିକ୍ ଟିକେଟ ଭେଣ୍ଡିଂ ମେସିନ୍ ସ୍ଥାପନ କରାଯିବାକୁ ଯୋଜନା ହୋଇଛି। ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ରଥ ନିର୍ମାଣ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ ଯୋଗାଣ ପ୍ରକ୍ରିୟା ଚାଲିଥିବା ବେଳେ ଗୁଜରାଟରୁ ରଥକନା ଆସୁଛି। ମହାପ୍ରସାଦ ରନ୍ଧନ ପାଇଁ କାଠ ସମସ୍ୟା ସମାଧାନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି।
ଏପଟେ ବଡ଼ଦାଣ୍ଡ ଓ ସଂଲଗ୍ନ ନାଳ ସଫେଇ କାମ ଆରମ୍ଭ ହୋଇଥିବା ବେଳେ ରଥଯାତ୍ରା ପୂର୍ବରୁ ସମସ୍ତ ପରିମଳ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ମିଳିଛି। ବିଶୁଦ୍ଧ ପାନୀୟ ଜଳ, ସ୍ୱଚ୍ଛତା ଓ ପରିବହନ ବ୍ୟବସ୍ଥା ଉପରେ ମଧ୍ୟ ଏଥର ଅଧିକ ଫୋକସ୍ ରହିଛି।ତେବେ ବୈଠକରେ ଯେପରି ଅସନ୍ତୋଷ ଓ ତର୍କବିତର୍କ ଦେଖାଗଲା, ତାହା ରଥଯାତ୍ରା ପ୍ରସ୍ତୁତିକୁ ନେଇ ପ୍ରଶାସନ ଉପରେ ବଡ଼ ପ୍ରଶ୍ନଚିହ୍ନ ଉଠାଇଛି।