ଓଡ଼ିଶାରେ ପୁଣି ଜଳରେ ଅସାବଧାନତା ନେଲା ଜୀବନ। ଏକପଟେ ପୁରୀ ସମୁଦ୍ରରେ ତିନି ପର୍ଯ୍ୟଟକ ମୃତ୍ୟୁମୁଖରୁ ଫେରିଥିବା ବେଳେ, ଅନ୍ୟପଟେ ବାଲେଶ୍ୱରରେ ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ଜୀବନ ଚାଲିଯାଇଛି। ଏହି ଦୁଇ ଘଟଣା ପୁଣିଥରେ ଜଳସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ଓ ସଚେତନତାକୁ ନେଇ ପ୍ରଶ୍ନ ଉଠାଇଛି।
ପୁରୀ ସମୁଦ୍ରର ୭ ନମ୍ବର ସେକ୍ଟରରେ ଶୁକ୍ରବାର ସକାଳେ ଏହି ଅଘଟଣ ଘଟିଥିଲା। ହୋଟେଲ ମହୋଦଧି ପ୍ୟାଲେସ ସମ୍ମୁଖରେ ସମୁଦ୍ରରେ ଗାଧୋଉଥିବା ବେଳେ ତିନି ପର୍ଯ୍ୟଟକ ଭାସିଯାଇଥିଲେ। ସ୍ଥାନୀୟ ଲାଇଫଗାର୍ଡ ଉପାଡ଼ି ଦାସ ଓ ନିହାର ରଞ୍ଜନ ବେହେରା ସାହସିକତା ଦେଖାଇ ତୁରନ୍ତ ସମୁଦ୍ରକୁ ଝାପ ଦେଇ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପର୍ଯ୍ୟଟକମାନେ ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳର ଦୀପ ରାୟ, ଅର୍ଜିତ ପଞ୍ଜା ଓ ଅଭିଜିତ ପଞ୍ଜା ବୋଲି ଜଣାପଡ଼ିଛି। ଘଟଣା ପରେ ସମୁଦ୍ର କୂଳରେ କିଛି ସମୟ ପାଇଁ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଅନ୍ୟପଟେ ବାଲେଶ୍ୱରରୁ ଆସିଛି ଦୁଃଖଦ ଖବର। ସମର କୋର୍ସ ପାଇଁ ଭଦ୍ରକ ଜିଲ୍ଲାରୁ ଆସିଥିବା ଦୁଇ ଛାତ୍ର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ୨ ଛାତ୍ର ହେଉଛନ୍ତି ପ୍ରତ୍ୟୁଷ କୁମାର ମଲ୍ଲିକ ଓ ସ୍ମୃତି ରଞ୍ଜନ ମହାଭୋଇ। ସେମାନେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ରହି ସମର କୋର୍ସ କରୁଥିଲେ। ଘଟଣା ପରେ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ପରିବାର ଶିକ୍ଷାନୁଷ୍ଠାନର ଅବହେଳା ଅଭିଯୋଗ ଆଣି କଡ଼ା କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।