ଭୁବନେଶ୍ୱର: ଭୁବନେଶ୍ୱର ବାଲିଅନ୍ତା ଭିଡ଼ ହିଂସାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି । ଲୋକେ କିଛି ବୁଝିବା ଆଗରୁ ସବୁ ମାନସିକତା ଭୁଲି ମାରିଥିଲେ ନିସ୍ତୁକ ମାଡ଼ । ଯଦ୍ୱାରା ଚାହୁଁ ଚାହୁଁ ଜଣକ ପ୍ରାଣ ଚାଲିଯାଇଥିଲା । କିନ୍ତୁ ଏହି ଭିଡ଼ ହିଂସାରୁ ବର୍ତ୍ତିଯାଇଥିବା ସୌମ୍ୟରଞ୍ଜନ ସାଙ୍ଗ ଓମ ପ୍ରକାଶ ।
ସୌମ୍ୟଙ୍କୁ ମାରିଥିଲା ବାତ
ବର୍ତ୍ତମାନ ବାଲିଅନ୍ତା ପୋଲିସ ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ସୌମ୍ୟଙ୍କ ସାଙ୍ଗକୁ ଓମ୍ ପ୍ରକାଶକୁ ନେଇ ପଚରାଉଚରା କରୁଛି । ତେବେ ସୌମ୍ୟଙ୍କ ଦୁର୍ଘଟଣାର କାରଣ ବାତ ଥିଲା ବୋଲି ଓମ୍ ପ୍ରକାଶ କହିଛନ୍ତି । ସେ କହିଛନ୍ତି ଯେ ଦୁହେଁ ସକାଳ ସାଢ଼େ ୧୦ଟା ସମୟରେ ମେଡିସନ୍ କିଣିକି ଫେରୁଥିଲେ । ସୌମ୍ୟଙ୍କୁ ତୁରନ୍ତ ଏକ ଇଞ୍ଜେକ୍ସନ ନେବାକୁ ଥିଲା । ସେଥିପାଇଁ ସେ ତରବର ହୋଇ ସ୍ପଡ୍ ରେ ବାଇକ ନେଇ ଯାଉଥିଲେ । ଦୁର୍ଘଟଣାର ସ୍ଥଳରୁ କିଛି ମିଟର ଦୂରରୁ ସୌମ୍ୟରଞ୍ଜନଙ୍କୁ ବାତ ମାରିଥିଲା। ସେ ଗୋଟିଏ ହାତରେ ପଛରେ ବସିଥିବା ଓମଙ୍କ ବେକକୁ ଧରି ପକାଇଥିଲେ । ଓମ୍ ଭାରସାମ୍ୟ ହରାଇବାରୁ ସେମାନେ ଏକ ସ୍କୁଟିକୁ ଧକ୍କା ଦେଇଥିଲେ । ଫଳରେ ସ୍କୁଟିରେ ଥିବା ଦୁଇ ଜଣ ଯୁବତୀ ପଡ଼ିଯାଇଥିଲେ । ଦୁଇ ଜଣ ଯୁବତୀଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାବେଳେ ଜଣେ ଆହତ ହୋଇଥିଲେ । ଏହା ପରେ ସୌମ୍ୟଙ୍କର ଦୁଇ ଜଣ ଯୁବତୀଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ପୁଣି ଥରେ ସୌମ୍ୟଙ୍କୁ ବାତ ମାରିବାରୁ ସେ ଯୁବତୀଙ୍କ ହାତକୁ ଜୋରରେ ଧରି ପକାଇଥିଲେ । ଯେଉଁଥିପାଇଁ ଗ୍ରାମବାସୀ ଘେରି ସୌମ୍ୟଙ୍କୁ ନିର୍ଘାତ ମାଡ଼ ମାରିଥିଲେ । ତେବେ ଓମ୍ ପ୍ରକାଶଙ୍କ କଥାରେ କେତେ ସତ୍ୟାସତ୍ୟ ରହିଛି, ଏହା ଆଗକୁ ତଦନ୍ତ ଆଗେଇଲେ ସ୍ପଷ୍ଟ ହେବ ।
ପୂର୍ବରୁ ଜେଲ୍ ଯାଇଥିଲେ ସୌମ୍ୟ
ସେପଟେ ମୃତ ସୌମ୍ୟଙ୍କୁ ନେଇ ଆଉ ଏକ ବଡ଼ ଖୁଲାସା ହୋଇଛି । ସୌମ୍ୟ ବର୍ଷକ ତଳେ ଧୋକା ଏବଂ ଠକେଇ ଅଭିଯୋଗରେ ଜେଲ୍ ଯାଇଥିଲେ । ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା । ଯେଉଁଥିପାଇଁ ସେ ଜେଲ୍ ଯାଇଥିଲେ । ଆଉ ଏଥିରେ ସୌମ୍ୟଙ୍କ ପରିବାର ଲୋକେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଏବଂ ପୋଲିସକୁ ତଦନ୍ତରେ ବାଧା ଦେଇଥିଲେ ।
ଘଟଣାସ୍ଥଳରେ ଡିଜିପି ଓ ମହିଳା କମିଶନ ଟିମ୍
ତେବେ ଆଜି ପୋଲିସ ଡିଜି ୱାଇ ବି ଖୁରାନିଆ ଏବଂ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଘଟଣା ସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି । କେଉଁ ପରିସ୍ଥିତିରେ ଏତେବଡ଼ ଅଘଟଣ ଘଟିଲା ସେ ନେଇ ତର୍ଜମା କରୁଛନ୍ତି । ସେପଟେ ମହିଳା କମିଶନ ଅଧ୍ୟକ୍ଷାଙ୍କ ନେତୃତ୍ୱରେ ଏକ ଟିମ୍ ଗାଁରେ ପହଁଚିଛନ୍ତି ।
ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଏଥିରେ ଗିରଫଦାରୀ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି ।