ବଲାଙ୍ଗୀର: ମୃତ୍ୟୁ ପରେ ବି ମିଳୁନି ମୁକ୍ତି । ପ୍ରଶାସନିକ ଅବହେଳା ଯୋଗୁଁ ୬ ମାସ ହେଲାଣି ଥାନା ମାଲଖାନାର ଅନ୍ଧାର କୋଠରୀରେ ପଡ଼ି ରହିଛି କଙ୍କାଳ । ଡିଏନ୍ଏ ଟେଷ୍ଟ ରିପୋର୍ଟ ଆସିନଥିବାରୁ ମୃତ ପୁଅର ଶବ ସତ୍କାର କରିପାରୁ ନାହାଁନ୍ତି ବୃଦ୍ଧ ବାପା । ପରିଣତ ବୟସରେ ଭେଣ୍ଡିଆ ପୁଅକୁ ହରାଇଥିବା ବୃଦ୍ଧ ବାପାଙ୍କ ଦୁଃଖ ଆହୁରି ବଢ଼ିଯାଇଛି । ଶେଷରେ କଙ୍କାଳ ପାଇବା ପାଇଁ ବଲାଙ୍ଗୀର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ।
ବଲାଙ୍ଗୀର ଜିଲ୍ଲା ଫଟାମୁଣ୍ଡା ଗାଁର ଏହି ଖବର ଏବେ ସମସ୍ତଙ୍କୁ ବିଚଳିତ କରିଦେଇଛି । ଫଟାମୁଣ୍ଡା ଗାଁ ନବୀନ ଡୁଡୁକା ଓ କାମାକ୍ଷୀ ଡୁଡୁକାଙ୍କ ପୁଅ ପ୍ରଶାନ୍ତ ଡୁଡୁକା ଗତ ସେପ୍ଟେମ୍ବର ମାସ ୨୭ ତାରିଖରେ ଗାଧୋଇବାକୁ ଯାଇ ସୁକତେଲ ନଦୀ ବଢି ପାଣିରେ ଭାସିଯାଇଥିଲେ । ଦୁଇ ମାସର ଖୋଜାଖୋଜି ପରେ ନଭେମ୍ବର ୨୧ ତାରିଖ ସଦର ଥାନା ଅନ୍ତର୍ଗତ କୁମିଆପାଲି ଗାଁ ନିକଟର ନଦୀ କଡରୁ କଙ୍କାଳ ମିଳିଥିଲା । ସଦର ଥାନା ପୋଲିସ କଙ୍କାଳ ଉଦ୍ଧାର କରିଥିଲା । କିନ୍ତୁ କାହାର କଙ୍କାଳ ଜାଣିବାକୁ ଆଇନଗତ ପ୍ରକ୍ରିୟାରେ ଡିଏନଏ ଟେଷ୍ଟ ପାଇଁ ନମୂନା ପଠାଯାଇଥିଲା । ପରିବାର ସଦସ୍ୟଙ୍କ ଡିଏନଏ ସହ ମ୍ୟାଚ କଲେ କଙ୍କାଳ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଥିଲା ।
କିନ୍ତୁ ୬ ମାସ ହେଲା ରିପୋର୍ଟ ଆସିନି । ବାରମ୍ବାର ଥାନାକୁ ଧାଉଁଥିଲେ ମଧ୍ୟ ପୁଅର କଙ୍କାଳ ମିଳୁ ପାରୁନାହିଁ । ଏମିତିକି ଶୁଦ୍ଧି କ୍ରିୟା ମଧ୍ୟ ହୋଇ ପାରୁନାହିଁ । ସେପଟେ ପୁଅର ମୃତ୍ୟୁ ଖବର ପରେ କାନ୍ଦି କାନ୍ଦି ନୟାନ୍ତ ହୋଇଥିବା ବାପା ମାଆଙ୍କ ଆଖିରୁ ଲୁହ ଶୁଖିଗଲାଣି ହେଲେ ପୁଅର ମୃତ ଅବେଶଷ ଟିକେ ମିଳି ପାରନ୍ତି ନାହିଁ । ସେପଟେ ନିଘୋଡ ନିଦ୍ରାରେ ପ୍ରଶାସନିକ ବ୍ୟବସ୍ଥା ।
ଏଠାରେ ସବୁଠୁ ବଡ ପ୍ରଶ୍ନ, ଗୋଟିଏ ଡିଏନଏ ରିପୋର୍ଟ ପାଇଁ କଣ ୬ ମାସ ସମୟ ଲାଗେ ? କାହିଁକି ପୋଲିସ ଏତେ ମନ୍ଥର ? ପୁଅର ହାଡ ଟିକକ ପାଇଁ ଶେଷରେ ବଲାଙ୍ଗୀର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ନବୀନ ଡୁଡୁକା ଓ ପତ୍ନୀ କାମାକ୍ଷୀ । ପୁଅର କଙ୍କାଳ ଫେରାଇ ନେବାକୁ ଗୁହାରି କରିଛନ୍ତି । ଏସପି ମଧ୍ୟ ଘଟଣାର ଗୁରୁତ୍ୱକୁ ବୁଝି ଖୁବ ଶିଘ୍ର କଙ୍କାଳ ହସ୍ତାନ୍ତର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଡିଏନଏ ରିପୋର୍ଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।