ଭୁବନେଶ୍ୱର: ଓଡ଼ିଶାର ଭିତ୍ତିଭୂମି ବିକାଶକୁ ମିଳିଲା ନୂଆ ଗତି। ରାଜ୍ୟର ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ସଡ଼କ ସଂଯୋଗକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠି (CRIF) ଯୋଜନା ଅଧୀନରେ ଓଡ଼ିଶାର ୧୦ଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ଓ ଫ୍ଲାଇଓଭର ପ୍ରକଳ୍ପ ପାଇଁ ୭୬୯ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି।
ଏହି ବୃହତ୍ ପ୍ରକଳ୍ପ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ୍ ମିଡିଆ ‘X’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।
ବିଶେଷ କରି ବ୍ରହ୍ମପୁରରେ ଦୁଇଟି ବଡ଼ ଫ୍ଲାଇଓଭର ପ୍ରକଳ୍ପ ନଗର ଯାତାୟାତକୁ ସହଜ କରିବାକୁ ଯାଉଛି। ଟାଟା ବେଞ୍ଜ ଛକରୁ MKCG ପର୍ଯ୍ୟନ୍ତ ୧୪୬ କୋଟିର ଫ୍ଲାଇଓଭର ଓ ଗିରିରୋଡ଼ ଛକରୁ ପୁରୁଣା ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ୧୬୮ କୋଟିର ଫ୍ଲାଇଓଭର ନିର୍ମାଣ ହେବ। ସେହିପରି ଝାରସୁଗୁଡାରେ ଆପ୍ରୋଚ୍ ବ୍ରିଜ, କୋରାପୁଟରେ ରାସ୍ତା ଉନ୍ନତିକରଣ, ନବରଙ୍ଗପୁରରେ ରାସ୍ତା ପ୍ରଶସ୍ତିକରଣ, ଗଜପତି ଓ ନୂଆପଡାରେ ସଡ଼କ ସୁଦୃଢୀକରଣ ସହ ବାଲେଶ୍ୱରର ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ମେଗା ଉନ୍ନତିକରଣ କାମ ହେବ।
ପ୍ରଶାସନର ଆକଳନ ଅନୁଯାୟୀ, ଏହି ସବୁ ପ୍ରକଳ୍ପ କେବଳ ଯାତାୟାତକୁ ସହଜ କରିବ ନୁହେଁ, ବରଂ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ନୂଆ ସମ୍ଭାବନା ସୃଷ୍ଟି କରିବ। ରାଜ୍ୟର ଅର୍ଥନୀତିକୁ ଗତି ଦେବା ସହ ହଜାର ହଜାର ଲୋକଙ୍କ ପାଇଁ ଏହା ନୂଆ ଆଶାର ସଡ଼କ ଖୋଲିବ ବୋଲି ଚର୍ଚ୍ଚା ହେଉଛି।
ଅଧିକ ପଢନ୍ତୁ: ରଥଯାତ୍ରା ପାଇଁ ଆସନ୍ତାକାଲି ପ୍ରଥମ ସମନ୍ୱୟ ବୈଠକ; ସୁପରିଚାଳନା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ, ବିଭିନ୍ନ ବିଭାଗ ମଧ୍ୟରେ ହେବ ଆଲୋଚନା