ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଯୁବତୀଙ୍କୁ ଅସଦାଚରଣ ଅଭିଯୋଗକୁ କେନ୍ଦ୍ର କରି ଉତ୍ତେଜିତ ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କୁ ରାସ୍ତା ମଝିରେ ଧରି ଅମାନବିକ ଭାବେ ପିଟିଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଓ ଆତଙ୍କର ପରିବେଶ ସୃଷ୍ଟି କରିଛି।
ସୂଚନା ଅନୁସାରେ, ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର କାଜରେ ବିଚ୍ ରାସ୍ତାରେ ଅଡ଼ଶପୁର ଅଞ୍ଚଳର ଦୁଇ ଯୁବକ ବାଇକରେ ଯାଉଥିବା ବେଳେ ଦୁଇ ଯୁବତୀଙ୍କ ସହ ଅସଦାଚରଣ କରିବା ସହ ବାଇକ୍ ଚଢ଼ାଇ ଦେଇଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ସୃଷ୍ଟି ହୋଇଥିଲା। ଉତ୍ତେଜିତ ଲୋକେ ଦୁଇ ଯୁବକଙ୍କୁ କାବୁ କରି ନିର୍ମମ ଭାବେ ପିଟିଥିଲେ।
ଅଭିଯୋଗ ଅନୁସାରେ, ଯୁବକମାନଙ୍କ ହାତଗୋଡ଼ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନିଆଯାଇଥିଲା। ଏପରିକି ବାଉଁଶରେ ବାନ୍ଧି ସର୍ବସମୁଖରେ ବିଧା, ଗୋଇଠା ଓ ଲାଠିରେ ପିଟାଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି, ପୋଲିସ ଉପସ୍ଥିତିରେ ମଧ୍ୟ ଲୋକେ ଆଇନକୁ ହାତକୁ ନେଇଥିବା ନେଇ ଗୁରୁତର ପ୍ରଶ୍ନ ଉଠିଛି।
ଗୁରୁତର ଆହତ ଅବସ୍ଥାରେ ଦୁଇ ଯୁବକଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ସେଥିରେ ମୌଜପୁର ଗାଁର ସୌମ୍ୟରଂଜନ ସ୍ୱାଇଁଙ୍କ ମୃତ୍ୟୁ ଘଟିଛି। ପ୍ରାରମ୍ଭିକ ସୂଚନା ଅନୁସାରେ ସେ ଜଣେ ରେଲୱେ କନଷ୍ଟେବଲ ଥିବା ଜଣାପଡ଼ିଛି। ଅନ୍ୟ ଯୁବକ ଏବେ ପୋଲିସ ହେପାଜତରେ ଅଛନ୍ତି। ୨ ଯୁବତୀଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।