ବର୍ଷା ଆସିବା ପୂର୍ବରୁ ଆକ୍ସନ ମୋଡ୍ରେ ସରକାର। ସହରରେ ଜଳବନ୍ଦୀ, ଡେଙ୍ଗୁ ଓ ଡ୍ରେନେଜ୍ ସମସ୍ୟାକୁ ରୋକିବା ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଜାରି କରିଛି SOP। ଡ୍ରେନ୍ରୁ ଆରମ୍ଭ କରି ମ୍ୟାନହୋଲ୍, ରାସ୍ତାରୁ ରିଲିଫ୍ ସେଣ୍ଟର,ସବୁଠି ଏବେ ହେବ କଡ଼ା ନଜରଦାରି।
ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟାକୁ ନେଇ ବିଭାଗ ଗୁରୁତ୍ୱ ଦେଇଛି ଡ୍ରେନେଜ୍ ପରିଚାଳନା ଉପରେ। ସମସ୍ତ ULBକୁ ଡ୍ରେନ୍ ଓ ମ୍ୟାନହୋଲ୍ର ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷତିଗ୍ରସ୍ତ ମ୍ୟାନହୋଲ୍ ଓ ଡ୍ରେନ୍ର ତୁରନ୍ତ ମରାମତି ସହ ସୁରକ୍ଷା ଜାଲ ଏବଂ ଚେତାବନୀ ସାଇନେଜ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି।
ଏଥିସହ ଡ୍ରେନ୍ରେ ଜମିଥିବା କାଦୁଅ ସଫା କରିବା, ଜବରଦଖଲ ହଟାଇବା ଏବଂ ତଳିଆ ଅଞ୍ଚଳ ଚିହ୍ନଟ କରି ସେଠାରେ ବିଶେଷ ବ୍ୟବସ୍ଥା ନେବାକୁ SOPରେ କୁହାଯାଇଛି। ଜଳ ନିଷ୍କାସନ ପାଇଁ ପମ୍ପସେଟ୍ ଓ DG ସେଟ୍ ପ୍ରସ୍ତୁତ ରଖାଯିବା ସହ ସହରଗୁଡ଼ିକୁ ଭିନ୍ନ ଭିନ୍ନ ଜୋନ୍ରେ ବିଭକ୍ତ କରାଯିବ।
କେବଳ ଜଳବନ୍ଦୀ ନୁହେଁ, ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗକୁ ରୋକିବା ପାଇଁ ମଧ୍ୟ ଜୋରଦାର ପ୍ରସ୍ତୁତି ହୋଇଛି। ନିୟମିତ ଫଗିଂ, ଲାର୍ଭିସାଇଡ୍ ପ୍ରୟୋଗ ଓ ଅଳିଆ ଡମ୍ପିଂ ଉପରେ କଡ଼ା ତଦାରଖ ହେବ। ଜରୁରୀ ସ୍ଥିତି ପାଇଁ ପ୍ରତ୍ୟେକ ULBରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ। ପାନୀୟ ଜଳ, ପରିମଳ ଓ ବିଦ୍ୟୁତ୍ ସୁବିଧା ସହ ଅସ୍ଥାୟୀ ରିଲିଫ୍ ସେଣ୍ଟର ମଧ୍ୟ ପ୍ରସ୍ତୁତ ରଖାଯିବ। ବର୍ଷାରେ କ୍ଷତିଗ୍ରସ୍ତ ରାସ୍ତାକୁ ୭୨ ଘଣ୍ଟା ମଧ୍ୟରେ ପୁନରୁଦ୍ଧାର କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ବର୍ଷା ଆସିବା ପୂର୍ବରୁ ସରକାରଙ୍କ ଏହି ବଡ଼ ପ୍ରସ୍ତୁତି ସହରବାସୀଙ୍କୁ କେତେ ଆଶ୍ଵସ୍ତି ଦେବ, ତାହା ଦେଖିବାକୁ ବାକି ରହିଲା।