କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମଧ୍ୟମଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଶୁଭେନ୍ଦୁ ଅଧିକାରୀଙ୍କ PA ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଦୁଃଖଦ ଘଟଣା ପରେ ଚନ୍ଦ୍ରନାଥଙ୍କ ମା' ହସିରାଣୀ ରଥ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଏକ ବଡ଼ ଦାବି କରିଛନ୍ତି।
ପୁଅକୁ ହରାଇବା ପରେ ମଧ୍ୟ ହସିରାଣୀ ରଥ ଅଭିଯୁକ୍ତଙ୍କ ପାଇଁ ଫାଶୀ ଦଣ୍ଡ ଚାହିଁନାହାନ୍ତି। ସେ କହିଛନ୍ତି, "ମୁଁ ଜଣେ ମା', ତେଣୁ ମୁଁ ଚାହୁଁନି କାହାକୁ ଫାଶୀ ଦିଆଯାଉ। ମୁଁ ଚାହୁଁଛି ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ଏବଂ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ।"ଚନ୍ଦ୍ରନାଥଙ୍କ ପରିବାର ପକ୍ଷରୁ ଏହି ହତ୍ୟାକାଣ୍ଡ ପାଇଁ ତୃଣମୂଳ କଂଗ୍ରେସ (TMC) କୁ ଦାୟୀ କରାଯାଇଛି। ବିଜେପି ଶକ୍ତିଶାଳୀ ହେଉଥିବାରୁ ପ୍ରତିଶୋଧ ପରାୟଣ ହୋଇ TMC ସମର୍ଥକମାନେ ଏଭଳି କାଣ୍ଡ ଭିଆଇଥିବା ସେ ଅଭିଯୋଗ କରିଛନ୍ତି।
ହସିରାଣୀଙ୍କ କହିବା ଅନୁଯାୟୀ, ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିବା ପରଠାରୁ ତାଙ୍କ ପରିବାର ବିପଦରେ ଥିଲା। ନିର୍ବାଚନ ପରେ ବିଭିନ୍ନ ପ୍ରକାରର ଭୟଭୀତ କଲାଭଳି ବୟାନ ଦିଆଯାଉଥିଲା। ବୁଧବାର ରାତିରେ ଚନ୍ଦ୍ରନାଥ ନିଜ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବାବେଳେ ଏକ ରୁପେଲି ରଙ୍ଗର କାର୍ ତାଙ୍କ ବାଟ ଓଗାଳିଥିଲା। ଏହାପରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଉତ୍ତେଜନା ଦେଖାଦେଇଛି।
Also Read: ବଳାତ୍କାର-ହତ୍ୟା ଏବଂ ଅପହରଣ ମାମଲାରେ ହ୍ରାସ… ଦେଶରେ ଅପରାଧ ଉପରେ କ’ଣ କହୁଛି NCRB ରିପୋର୍ଟ?