ଚେନ୍ନାଇ: ତାମିଲନାଡୁରେ ସବୁଠୁ ବଡ ପାର୍ଟି ଭାବେ ଆର୍ବିଭାବ ହୋଇଥିବା ଟିଭିକେ(ତାମିଲାଗା ଭେଟ୍ରି କସଗମ)କୁ ଲଗାତାର ଦ୍ୱିତୀୟ ଦିନ ମଧ୍ୟ ଲୋକଭବନରୁ ନିରାଶର ସହ ଫେରିବାକୁ ପଡିଛି । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ବିଜୟଙ୍କୁ ପୁଣି ଥରେ ପଠାଇ ଦେଇଛନ୍ତି ଏବଂ ୧୧୮ ବିଧାୟକଙ୍କ ଦସ୍ତଖତ ସହ ଆସିବାକୁ କହିଛନ୍ତି । ସବୁଠୁ ବଡ ପାର୍ଟି ହେବା ସତ୍ତ୍ୱେ ବି ଟିଭିକେ ପାଖରେ ୧୦୮ ବିଧାୟକ ଅଛନ୍ତି । କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ସହିତ ସଂଖ୍ୟା ୧୩ରେ ପହଞ୍ଚୁଛି ।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ରାଜ୍ୟପାଳ ବିଜୟଙ୍କୁ ୧୧୮ ବିଧାୟକଙ୍କ ଦସ୍ତଖତ ସହ ପୁଣି ଥରେ ଆସିବାକୁ କହିଛନ୍ତି । କୌଣସି ବି ଶପଥ ପୂର୍ବରୁ ସଂଖ୍ୟା ଗରିଷ୍ଠତାର ନମ୍ବର ଦେଖାଇବା ଜରୁୁରୀ । ପ୍ରଥମେ ପ୍ରମାଣ କରନ୍ତୁ ଯେ, ଆପଣଙ୍କ ପାଖରେ ବହୁମତ ରହିିଛି ଏବଂ ଏହା ପରେ ଶପଥ ଗ୍ରହଣ ହୋଇ ପାରିବ ।
ବୁଧବାର ବି ଯାଇଥିଲେ ଲୋକଭବନ
ବୁଧବାର ମଧ୍ୟ ବିଜୟ ରାଜ୍ୟପାଳଙ୍କୁ ଭେଟି ୧୧୨ ବିଧାୟକଙ୍କ ସମର୍ଥନ ଥିବା ଜଣାଇଥିଲେ । ହେଲେ ରାଜ୍ୟପାଳ ୧୧୮ ବିଧାୟକଙ୍କ ଦସ୍ତଖତ ଆଣ ତା ପରେ ହିଁ ଶପଥ ଗ୍ରହଣ ସମାରୋହ ହେବ ବୋଲି କହିଥିଲେ । ରାଜ୍ୟପାଳଙ୍କ ଏମିତି କାର୍ଯଶୈଳୀକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି । ଦଳ କହିଛି ଯେ, ସବୁଠୁ ବଡ ପାର୍ଟି ହୋଇଥିବାରୁ ଟିଭିକେକୁ ପ୍ରଥମେ ସରକାର ଗଢିବାକୁ ସୁଯୋଗ ଦିଆଯାଉ । ଟିଭିକେ ମଧ୍ୟ କହିଛି ଯେ, ଶପଥ ଗ୍ରହଣ ପରେ ତାଙ୍କ ପାର୍ଟି ବିଧାନସଭାରେ ଆସ୍ଥା ଭୋଟ୍ ସହ ବହୁମତ ସାବ୍ୟସ୍ତ କରିବାକୁ ପ୍ରସ୍ତୁତ ।
ଟିଭିକେ ନେତା ଭି ଏସ ବାବୁ କହିଛନ୍ତି ଯେ, ଶୀଘ୍ର ସରକାର ଗଠନ ହେବ ଏବଂ ଆଗକୁ ଦେଖିବା କଣ ହେଉଛି । ତାଙ୍କ ପ୍ରଶ୍ନ ହୋଇଥିଲା ଯେ, କଣ କେନ୍ଦ୍ର ସରକାର ରାଜ୍ୟପାଳଙ୍କ ଉପରେ ଚାପ ପକାଉଛନ୍ତି । ଭିଏସ ବାବୁ ଏହା ଉପରେ କହିଛନ୍ତି ଯେ, ଏ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ତେଣୁ ସେ କୌଣସି ଟିପ୍ପଣୀ କରିବେ ନାହିଁ । ଯେଉଁ ବିଷୟରେ ମୋ ପାଖରେ କୌଣସି ସୂଚନା ନାହିଁ ସେ ବିଷୟରେ ମୁଁ କିଛି କହି ପାରିବି ନାହିଁ ।
ସଂଖ୍ୟା ଗଣିତର ଖେଳ
ଯଦି ଏହି ଦୁଇ ଦଳ ଏକାଠି ହୁଅନ୍ତି, ତଥାପି ସେମାନଙ୍କ ପାଇଁ ବାଟ ସହଜ ନୁହେଁ। କାରଣ DMK ପାଖରେ ୫୯ ଆସନ ଏବଂ AIADMK ପାଖରେ ୪୭ ଆସନ ରହିଛି। ମିଶାଇଲେ ହେଉଛି ୧୦୬ ଆସନ।ବହୁମତ ପାଇଁ ୧୧୮ ଦରକାର, ଅର୍ଥାତ୍ ଏହି ମେଣ୍ଟ ପାଖରେ ଆହୁରି ୧୨ଟି ସିଟ୍ ର ଅଭାବ ରହିଛି।ଅନ୍ୟପଟେ, ବିଜୟଙ୍କ ଦଳ TVK କଂଗ୍ରେସର ୫ ବିଧାୟକଙ୍କ ସମର୍ଥନରେ ୧୧୩ ସଂଖ୍ୟାରେ ପହଞ୍ଚିଥିଲେ ମଧ୍ୟ ବହୁମତ ପାଇଁ ଆହୁରି ୫ରୁ ୬ଟି ସିଟ୍ ଦରକାର ।
ଯଦି DMK ଏବଂ AIADMK ପ୍ରକୃତରେ ଏକାଠି ହୁଅନ୍ତି, ତେବେ ଏହା ତାମିଲନାଡୁ ଇତିହାସର ସବୁଠାରୁ ବଡ଼ ରାଜନୈତିକ ଘଟଣା ହେବ। କିନ୍ତୁ ଉଭୟ ପକ୍ଷରେ ସଂଖ୍ୟାର ଅଭାବ ଥିବାରୁ, ଏବେ ଛୋଟ ଦଳ ଓ ନିର୍ଦ୍ଦଳୀୟ ବିଧାୟକମାନେ 'କିଙ୍ଗମେକର୍' ସାଜିବେ।