ଯାଜପୁର: ଯାଜପୁର ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କଡ଼ା ତାଗିଦ । ଦଳରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସଂଗଠିତ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ ।
ଗତକାଲି ବିଜେଡ଼ିର ଯାଜପୁର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଦଳର ମୁଖିଆ ନବୀନ ସିଧାସଳଖ ଯୋଗ ଦେଇନଥିଲେ । ତଥାପି ଦଳୀୟ କର୍ମୀମାନଙ୍କ ସହିତ ଭିଡ଼ିଓ ବାର୍ତ୍ତାରେ ସମ୍ବୋଧନ କରିଛନ୍ତି । ନବୀନ କହିଛନ୍ତି ଯେ ବିଜେଡ଼ି ହେଉଛି ଓଡ଼ିଶାବାସୀଙ୍କ ବିଶ୍ୱାସର ପ୍ରତୀକ ।୨୪ ବର୍ଷ ଧରି ଲୋକେ ବିଶ୍ୱାସ କରି ଏବଂ ସେବା କରିବାର ସୁଯୋଗ ଦେଇଥିଲେ । ଓଡ଼ିଶାର ବିକାଶ ପାଇଁ ସର୍ବୋତ୍ତମ ଚେଷ୍ଟା କରିଛୁ ଏବଂ ସଫଳ ମଧ୍ୟ ହୋଇଛୁ । ଏହି ସଫଳତା ପାଇଁ ବିଜେଡ଼ିର ପ୍ରତ୍ୟେକ କର୍ମୀ ଗର୍ବ କରିବା ଉଚିତ । ବିଜେଡ଼ି ଏବେ ବିରୋଧୀ ଦଳରେ ରହିଛି । ଲୋକଙ୍କ ଆର୍ଶୀବାଦ ଏବଂ ଭଲ ପାଇବା ଦଳର ବଡ଼ ପୁଞ୍ଜି । ଦଳ ସବୁବେଳେ ଶୃଙ୍ଖଳାକୁ ଗୁରୁତ୍ୱ ଦେଇଛି । ତେଣୁ କେବେବି ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ।
ସେହିପରି ଆଗକୁ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ଆସୁଥିବାରୁ ଦଳକୁ ସଙ୍ଗଠନକୁ ଆହୁରି ମଜବୁତ କରିବା ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି । ଏହା ସହିତ ନବୀନ ବିଜେପି ସରକାର ଉପରେ ବର୍ଷିଛନ୍ତି । ବିଜେପି ସରକାର ଲୋକଙ୍କ ଉପରେ ବୋଝ ହୋଇଗଲାଣି । ମହିଳା ଓ ଚାଷୀଙ୍କ ଅଧିକାର ପାଇଁ ସରକାରଙ୍କ ବିରୋଧରେ ଲଢ଼ିବାକୁ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।
ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ବୈଠକରେ ବିରୋଧୀ ଦଳର ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ , ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ପ୍ରମୁଖ ଯୋଗ ଦେଇ ତୃଣମୂଳ ସ୍ତରରେ କିଭଳି ଦଳ କୁ ସଂଗଠିତ କରିହେବ ସେ ନେଇ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ।