ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ର ସଦ୍ୟତମ ରିପୋର୍ଟ ଅନୁଯାୟୀ ୨୦୨୪ ରେ ବରିଷ୍ଠ ନାଗରିକ (୬୦ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତି)ଙ୍କ ବିରୁଦ୍ଧରେ ୩୬,୬୦୨ ଅପରାଧିକ ମାମଲା ରୁଜୁ କରାଯାଇଛି । ୨୦୨୩ ତୁଳନାରେ ଏହି ମାମଲା ୧୬.୯ ପ୍ରତିଶତ ବୃଦ୍ଧି ପାଇଛି।
୨୦୨୩ ମସିହାରେ ୨୭,୭୨୧ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ୨୦୨୪ ମସିହାରେ ପ୍ରାୟତଃ ୨୭,୪୦୯ ହତ୍ୟା ମାମଲା ରୁଜୁ ହୋଇଛି । ଏହି ହତ୍ୟା ପଛରେ ବ୍ୟକ୍ତିଗତ ଶତ୍ରୁତା ଓ ବିବାଦ ମୁଖ୍ୟ କାରଣ ବୋଲି ଦର୍ଶାଯାଇଛି । ୨୦୨୩ ରେ ୧.୧୩ ଲକ୍ଷ ଅପହରଣ ମାମଲା ପଞ୍ଜିକୃତ ହୋଇଥିଲା । ୨୦୨୪ ରେ ଅପହରଣ ହୋଇଥିବା ୯୬,୦୭୯ ମାମଲା ପଞ୍ଜିକୃତ ହୋଇଛି, ଯାହା ୨୦୨୩ ତୁଳନାରେ ୧୫.୪ ପ୍ରତିଶତ ହ୍ରାସ ପାଇଛି ।
ଭାରତୀୟ ଦଣ୍ଡ ସଂହିତା (IPC) ଓ ଭାରତୀୟ ନ୍ୟାୟ ସଂହିତା (BNS) ଆଧାରରେ ୩୫.୪ ଲକ୍ଷ ଅପରାଧିକ ମାମଲା ରୁଜୁ ହୋଇଛି । ଏହା ସହ NCRB ୧୯ ମହାନଗର ଗୁଡିକରେ ତୁଳନାତ୍ମକ ଅପରାଧ ତଥ୍ୟ ପ୍ରକାଶ ପାଇଛି । ଏହି ତଥ୍ୟ ଅନୁସାରେ ୨୦୨୪ ରେ ୮.୪ ଲକ୍ଷ କଗ୍ନିଜେବଲ୍ ଅପରାଧ ହୋଇଛି, ଯାହା ୨୦୨୩ ତୁଳନାରେ ୧୦.୯ ପ୍ରତିଶତ ହ୍ରାସ ପାଇଛି।
ଏହି ରିପୋର୍ଟ ରୁ ଜଣାପଡିଛି ଯେ, ୨୦୨୪ ମସିହାରେ ୫୪.୬ କୋଟି ଟଙ୍କା ମୂଲ୍ୟର ୮.୨୧ ଲକ୍ଷ ନକଲି ଭାରତୀୟ ନୋଟ ଜବତ କରାଯାଇଛି । ଆଇନ ପ୍ରବର୍ତ୍ତନ ଅଧିକାରୀ, ୨୦୨୩ ମସିହାରେ ଦଶ ଲକ୍ଷ କେଜି RDX ଓ TNT ଜବତ କରିଥିବାବେଳେ ୨୦୨୪ ରେ ୩ ଲକ୍ଷ ୬୨ ହଜାର କେଜି ବିସ୍ଫୋରକ ଜବତ କରଯାଇଛି।
ତଥ୍ୟ ଅନୁଯାୟୀ ଅନୁସୂଚିତ ଜାତି (ଏସ୍ ସି) ବିରୁଦ୍ଧରେ ୫୫,୬୯୮ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି, ଯାହା ୨୦୨୩ (୫୭,୭୮୯ ମାମଲା) ତୁଳନାରେ ୩.୬ ପ୍ରତିଶତ ହ୍ରାସ ପାଇଛି । ଅନୁସୂଚିତ ଜନଜାତି (ଏସ୍ ଟି) ବିରୁଦ୍ଧରେ ୯,୯୬୬ ମାମଲା ପଞ୍ଜିକୃତ ହୋଇଛି, ଯାହା ୨୦୨୩ (୧୨,୯୬୦ ମାମଲା) ତୁଳନାରେ ୨୩.୧% କମ।