ଦୀର୍ଘ ୩୦ ବର୍ଷର ଅପେକ୍ଷା ପରେ ଓଡ଼ିଶାରେ ଲାଗୁ ହୋଇପାରେ ପେସା ଆଇନ। ଆସନ୍ତା କ୍ୟାବିନେଟରେ ଏନେଇ ପ୍ରସ୍ତାବ ଆସିବା ସମ୍ଭାବନା ଥିବାବେଳେ ସରକାରୀ ସ୍ତରରେ ଚାଲିଛି ଜୋରଦାର ପ୍ରସ୍ତୁତି। ୪୧ଟି ବିଭାଗ ସହ ବିଚାରବିମର୍ଶ ପରେ ଆଜି ହେଉଛି ଶେଷ ବୈଠକ। ୧୯୯୬ରୁ କେନ୍ଦ୍ରରେ ପେସା ଆଇନ ଥିଲେ ମଧ୍ୟ ଓଡ଼ିଶାରେ ଏହା କାର୍ଯ୍ୟକାରୀ ହୋଇପାରିନଥିଲା।ଏହାକୁ ଲାଗୁ କରିବା ଦାବିରେ ବିଭିନ୍ନ ଆଦିବାସୀ ସଂଗଠନ ଏବଂ ସାମାଜିକ ଗଠନ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଛନ୍ତି। ଏବେ ସରକାର ଏହି ଆଇନ ଲାଗୁ ପାଇଁ ଆଗକୁ ବଢ଼ିବାରୁ ଆଦିବାସୀ ଅଞ୍ଚଳରେ ଆଶାର ସଞ୍ଚାର ହୋଇଛି।
ପେସା ଆଇନର ମୂଳ ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟକୁ ସ୍ୱଶାସନର ଅଧିକାର ଦେବା। ଏହି ଆଇନ ଲାଗୁ ହେଲେ ପ୍ରତ୍ୟେକ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଗଠିତ ହେବ। ଗ୍ରାମସଭା ଗ୍ରାମର ପରମ୍ପରା, ସଂସ୍କୃତି ଓ ସାମୁଦାୟିକ ସମ୍ପତ୍ତିର ସୁରକ୍ଷା କରିବା ସହ ଅନେକ ମୁଖ୍ୟ ନିଷ୍ପତ୍ତି ନେବାର କ୍ଷମତା ପାଇବ।
ସବୁଠାରୁ ବଡ଼ କଥା ହେଲା, କୌଣସି ଜମି ଅଧିଗ୍ରହଣ କିମ୍ବା ବିସ୍ଥାପନ ପୂର୍ବରୁ ଗ୍ରାମସଭାର ଅନୁମତି ନେବା ବାଧ୍ୟତାମୂଳକ ହେବ। ଜଳ, ଜଙ୍ଗଲ ଏବଂ ଜମି ଉପରେ ଆଦିବାସୀଙ୍କ ପାରମ୍ପରିକ ଅଧିକାରକୁ ଆଇନଗତ ସୁରକ୍ଷା ମିଳିବ। ଏହା ଲାଗୁ ହେଲେ ରାଜ୍ୟର ୧୦ଟି ଜିଲ୍ଲାର ଅନୁସୂଚିତ ଅଞ୍ଚଳରେ ବସୁଥିବା ଲକ୍ଷାଧିକ ଆଦିବାସୀ ପରିବାର ସରାସରି ଉପକୃତ ହେବେ।