ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆସିଛି । ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ପଞ୍ଚାୟତ ସିମିତି କାର୍ଯ୍ୟାଳୟ ଭିତରେ ପଶି ଫାଇଲ୍ ଚିରି ଦେଇଥିବା ନେଇ ଥାନାରେ ଏତଲା ଦିଆଯାଇଛି ।
ସୂଚନା ମୁତାବକ ପାଟଣାଗଡ଼ ବ୍ଲକ ଅଧକ୍ଷ ନୀଳକାନ୍ତ ବାଗ କୌଣସି କାମ ପାଇଁ ବ୍ଲକ୍ କାର୍ଯ୍ୟାଳୟକୁ ଆସିଥିଲେ । ଏହି ସମୟରେ ହେଡ୍ କ୍ଲର୍କଙ୍କ ଟେବୁଲ ଉପରେ ରଖାଯାଇଥିବା ଧାତୁକ ଗ୍ରାମପଞ୍ଚାୟତର ମଲ୍ଲିକମୁଣ୍ଡାରୁ ଧାତୁକ ରାସ୍ତାର ଉନ୍ନତି ମୂଳକ କାର୍ଯ୍ୟ ଫାଇଲ ଦେଖି ବିରକ୍ତିପ୍ରକାଶ କରିଥିଲେ । ଏହା ପରେ ହେଡକ୍ଲର୍କଙ୍କ ସାମ୍ନାରେ ସରକାରୀ ଫାଇଲକୁ ଗୁଡ଼ିକୁ ଚିରି ଫିଙ୍ଗି ଦେଇ ଗୋଡ଼ ଦଳି ଚାଲିଯାଇଥିଲେ ।
ଏ ନେଇ ହେଡ଼କ୍ଲର୍କ ସରୋଜ କୁମାର ବାବୁ ପାଟଣାଗଡ଼ ବିଡ଼ିଓଙ୍କୁ ଫୋନ ଯୋଗେ ଜଣାଇଥିଲେ । ମାତ୍ର ବିଡ଼ିଓ ଅନ୍ୟ କାମରେ ବାହାରେ ଥିବାରୁ ଥାନାକୁ ଫୋନ ଯୋଗେ ଜଣାଇଥିଲେ । ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଓ ଅନ୍ୟ ପାରିପାର୍ଶ୍ୱିକ ପରିସ୍ଥିତିକୁ ନେଇ ଯାଞ୍ଚ ଆରମ୍ଭ କରିଛନ୍ତି ।