ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲା ଭୀମସାରରୁ ଆସିଛି ସଙ୍ଗୀନ ଅଭିଯୋଗ । ଚାରି ଦିନରେ ୭ ଜଣ ପ୍ରସୂତୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ କାହିଁକି ପ୍ରସୂତୀ ମହିଳାମାନେ ପ୍ରାଣ ହରାଉଛନ୍ତି ତାହାର କାରଣ ଜଣାପଡ଼ି ନଥିବାବେଳେ କାରଣ ଖୋଜା ଚାଲିଥିବା କହିଛନ୍ତି ଭୀମସାର ମେଡ଼ିକାଲ ଅଧୀକ୍ଷକ ସନୀଲ ଶର୍ମା ସୂଚନା ଦେଇଛନ୍ତି ।
ଗତ ୧ ତାରିଖରୁ ୬ ତାରିଖ ମଧ୍ୟରେ ୭ ଜଣ ପ୍ରସୂତୀ ପ୍ରାଣ ହରାଇଛନ୍ତି । ପ୍ରଥମେ ୧ ତାରିଖରେ ଜଣେ ପ୍ରସୂତିଙ୍କର ଭୀମସାରର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ ଚିକିତ୍ସାଧୀନ ଥିବାବେଳେ ପ୍ରାଣ ହରାଇଥିଲେ । ଜଣଙ୍କର ସିକିଲ୍ ସେଲ୍ ରୋଗରେ ପୀଡ଼ିଥ ଥିବାରୁ ଗୁରୁତର ଥିଲେ । ସେହିପରି ଆଉ ଜଣେ ପ୍ରସୂତୀ ବିନା ଡାକ୍ତରଙ୍କ ପରାମର୍ଶରେ ଗର୍ଭପାତ ଔଷଧ ଖାଇଥିବାରୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିଲା । ଏହା ପରେ ଆହୁରି ୫ ଜଣ ଗର୍ଭବତୀ ମହିଳା ପ୍ରାଣ ହରାଇଛନ୍ତି । ତେବେ ମାତ୍ର ୬ ଦିନ ମଧ୍ୟରେ ୭ ଗର୍ଭବତୀ ପ୍ରାଣ ହରାଇବା ଏକ ସଂଯୋଗ ନା ଚିକିତ୍ସାରେ ଅବହେଳା ତାହା ଏବେ ବଡ଼ ପ୍ରଶ୍ନ ।
ଏ ନେଇ ସ୍ୱାସ୍ଥ୍ୟ ବିଭାଗ ବୁର୍ଲା ଭୀମସାରକୁ ତର୍ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏଭଳି ଅଙ୍କ ଆସିବା ପରେ ସମୀକ୍ଷା କରାଯାଉଛି । ଚିକିତ୍ସାରେ ତ୍ରୁଟି ନା ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଥିଲା ସେ ନେଇ ତର୍ଜମା ଚାଲିଛି । ରିପୋର୍ଟ ଆସିବା ପରେ ଜଣା ପଡ଼ିବ ବୋଲି ଅଧୀକ୍ଷକ କହିଛନ୍ତି ।