ଗଞ୍ଜାମ: ଠାକୁରଙ୍କୁ ବି ଛାଡିଲେନି ଦୁର୍ବୁତ୍ତ। ହନୁମାନଙ୍କ ମନ୍ଦିରରେ ବୁଲାଇଲେ କଳାକନା। ସୁନା,ରୁପା ଅଳଙ୍କାର ସହ ହୁଣ୍ଡିକୁ ମଧ୍ୟ ନେଇ ଲୁଟେରା ଫେରାର ହୋଇଯାଇଛନ୍ତି। ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଲୁଟ ଘଟଣା ଘଟିଛି, ଗଞ୍ଜାମ ଛତ୍ରପୁର ଥାନା ଅଧିନ କୁମାରବେଗପଲ୍ଲୀ ଗାଁରେ ଥିବା ହନୁମାନ ମନ୍ଦିରରୁ ଏହି ଲୁଟ୍ ହୋଇଛି।
ସୂଚନା ଅନୁଯାୟୀ, ପୂଜକ ଗତକାଲି ରାତିରେ ପୂଜା ସରି ମନ୍ଦିରକୁ ତାଲା ଲଗାଇ ଘରକୁ ଯାଇଥିଲେ। କିନ୍ତୁ ସକାଳେ ମନ୍ଦିରକୁ ଆସି ଦେଖିଲେ ତାଲା ଭାଙ୍ଗିଥିବା ବେଳେ ଓ ଭିତରର ଅଳଙ୍କାର ଗାୟବ ହୋଇଯାଇଛି। ହନୁମାନଙ୍କ ସୁନାର ଆଖି, ସୁନାର ଚିତା, ରୂପାର ଗଦା, ପର୍ବତ ସହିତ ରାମ, ଲକ୍ଷ୍ମଣ ଓ ସୀତାଙ୍କ ରୂପା ଅଳଙ୍କାର ମଧ୍ୟ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ।
ପ୍ରାରମ୍ଭିକ ଅନୁମାନ ଅନୁସାରେ, ଏହି ଚୋରିର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତତ୍କ୍ଷଣାତ୍ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ଦିରରେ ଲାଗିଥିବା CCTV କ୍ୟାମେରାରେ ଏହି ଚୋରିର କିଛି ଦୃଶ୍ୟ ଧରାପଡ଼ିଥିବାବେଳେ, ଲୁଟେରାମାନେ ମୁହଁ ଢାକି ଆସିଥିବା ଦେଖାଯାଇଛି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି। ଧାର୍ମିକ ସ୍ଥାନରେ ଏପରି ଚୋରି ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ପୋଲିସ CCTV ଫୁଟେଜ୍ ଆଧାରରେ ଲୁଟେରାମାନଙ୍କୁ ଚିହ୍ନଟ କରିବାରେ ଲାଗିଥିବାବେଳେ, ଶୀଘ୍ର ଗିରଫ ହେବାର ଆଶା କରାଯାଉଛି।