ନବରଙ୍ଗପୁର: ନବରଙ୍ଗପୁର ସହରରେ ତେଲ ପାଇଁ ହାଃ ହାଃ କାର । ଗମ୍ଭୀର ରୂପ ନେଇଛି ତେଲ ସମସ୍ୟା । ସହରରେ ୬ଟି ପେଟ୍ରୋଲ ପମ୍ପ ମଧ୍ୟରୁ ତେଲ ଅଭାବରୁ ୪ଟି ପମ୍ପ ବନ୍ଦ ରହିଛି । ଫଳରେ ଖୋଲାଥିବା ୨ଟି ପମ୍ପରେ ପେଟ୍ରୋଲ ଓ ଡିଜେଲ ପାଇଁ ନାହିଁ ନ ଥିବା ଭିଡ଼ । ଅନ୍ୟପଟେ ସୀମିତ ଯୋଗାଣ ହେତୁ ପମ୍ପ ମାଲିକମାନେ ମଧ୍ୟ ନିୟନ୍ତ୍ରିତ ଭାବେ ତେଲ ବଣ୍ଟନ କରୁଛନ୍ତି । ଦୁଇ ଚକିଆକୁ ୨୦୦ ଟଙ୍କା ଓ ଚାରି ଚକିଆକୁ ୧୦୦୦ ଟଙ୍କାରେ ସୀମିତ ରଖାଯାଇଛି । ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଜିଲ୍ଲା ଯୋଗାଣ ବିଭାଗ କହିଛି ଯେ ସମସ୍ୟା ଉପରେ ନଜର ରଖାଯାଇଛି ଏବଂ ଶୀଘ୍ର ସମାଧାନ କରାଯିବ । ନବରଙ୍ଗପୁର ସହରର ପେଟ୍ରୋଲ ପମ୍ପଗୁଡ଼ିକ ଏବେ ପ୍ରଭାବିତ। ଗତକାଲି ସନ୍ଧ୍ୟାରୁ ସହରରେ ଥିବା ୬ଟି ପମ୍ପ ମଧ୍ୟରୁ ୪ଟିରେ ତେଲ ଶୁନ୍ୟ ହୋଇ ବନ୍ଦ ହୋଇଯାଇଛି । ବାକି ୨ଟି ପମ୍ପରେ ତେଲ ମିଳୁଥିବାରୁ ସେଠାରେ ଗ୍ରାହକଙ୍କ ଭିଡ଼ ଲାଗିରହିଛି। ପ୍ରତ୍ୟେକ ଗ୍ରାହକଙ୍କୁ ସୀମିତ ମାତ୍ରାରେ ତେଲ ଦିଆଯାଉଥିବାରୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଲାଇନରେ ଧାଡ଼ି ବାନ୍ଧି ଅପେକ୍ଷା କରୁଛନ୍ତି । ଜିଲ୍ଲାରେ ମୋଟ ୫୧ଟି ପମ୍ପ ଥିବା ବେଳେ ଅନ୍ୟ ଅଞ୍ଚଳରେ ତେଲ ଯଥେଷ୍ଟ ମଜୁତ ରହିଛି। ତଥାପି କେବଳ ସହର ମଧ୍ୟରେ ଏହି ଅଭାବ ଦେଖାଯାଉଛି। ଜିଲ୍ଲାରେ ପ୍ରାୟ ୩ ଲକ୍ଷ ଲିଟର ପେଟ୍ରୋଲ ଓ ୪ ଲକ୍ଷ ଲିଟର ଡିଜେଲ ମଜୁତ ଥିବା ସୂଚନା ମିଳିଛି।
ଦୈନିକ ଭାବେ ସହରରେ ୩୦ ହଜାର ଲିଟର ପେଟ୍ରୋଲ ଓ ୫୦ ହଜାର ଲିଟର ଡିଜେଲ ଆବଶ୍ୟକ ହୁଏ। କିନ୍ତୁ ସୀମିତ ଯୋଗାଣ ହେତୁ ପମ୍ପଗୁଡ଼ିକ ଡ୍ରାଏ ହେଉଛି। ଜିଲ୍ଲା ଯୋଗାଣ ଅଧିକାରୀଙ୍କ କହିବା ଅନୁସାରେ, ଡିପୋରୁ ସୀମିତ ପରିମାଣରେ ତେଲ ଆସୁଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ପମ୍ପରେ ତେଲ ପହଞ୍ଚିବ ବୋଲି ଆଶ୍ୱାସନା ଦିଆଯାଇଛି।