ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡ଼ା ଗ୍ରାମରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା ଏବେ ରାଜନୈତିକ ମୋଡ଼ ନେଇଛି । ନିଜ ନିର୍ବାଚନ ମଣ୍ଡଳୀରେ ଏଭଳି ହତ୍ୟା କାଣ୍ଡ ପରେ ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ସମୟ ପୂର୍ବରୁ କାହିଁକି ପଦକ୍ଷେପ ଗ୍ରହଣ କରାଗଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖି ପ୍ରଶ୍ନ କରିଛନ୍ତି ନବୀନ ।
ଗତକାଲି ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ସମ୍ମୁଖରେ ଜଣେ ଗର୍ଭବତୀ ମହିଳା ନିଜ ଝିଅ ସହିତ ଧାରଣା ଦେଇଥିବାବେଳେ ତାଙ୍କୁ ବିଭତ୍ସଭାବେ ହତ୍ୟା କରାଯାଇଥିଲା । ଏ ନେଇ ନବୀନ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅବଗତ କରାଇବା ସହିତ କ୍ଷୁବ୍ଧ ହୋଇଛନ୍ତି । ନବୀନ କହିଛନ୍ତି ମୋ ନିର୍ବାଚନ ମଣ୍ଡଳୀରେ ଜଣେ ଗର୍ଭବତୀ ମହିଳା ନ୍ୟାୟ ପାଇଁ ନିଜ ସ୍ୱାମୀଙ୍କ ଘର ସମ୍ମୁଖରେ ଧାରଣା ଦେଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ।
ଏହା ସହିତ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଥିବାବେଳେ ପୋଲିସ କାହିଁକି ପଦକ୍ଷେପ ନେଇ ନ ଥିଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି । ମହିଳା ଜଣକ ଧାରଣାରେ ବସିଥିବାବେଳେ ପୋଲିସ କାହିଁକି ପଦକ୍ଷେପ ଗ୍ରହଣ କରିନଥିଲା । ଏ ସମ୍ପୂର୍ଣ୍ଣ ଘଟଣାର ସାକ୍ଷୀ ତାଙ୍କର ଗୋଟିଏ ତିନି ବର୍ଷର ଝିଅ । ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନବୀନ ଦାବି କରିଛନ୍ତି । ତତସହିତ ଶିଶୁଟିର ଯତ୍ନ ନେବା ସହିତ ତାକୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ଚିଠି ଜରିଆରେ ଦାବି କରିଛନ୍ତି ନବୀନ ।
ସେପଟେ ନବୀନଙ୍କ ଚିଠିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି ଯେ ସରକାର ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଡ଼ାରୁ କଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ମା ଛେଉଣ୍ଡ ପିଲାର ମଧ୍ୟ ସରକାର ଯତ୍ନ ନେବେ । ନବୀନ ଏ ନେଇ ଚିଠି ଲେଖିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ରମ୍ବା ଥାନା ଅନ୍ତର୍ଗତ ଅଗସ୍ଥି ନୁଆଗାଁର ଜଣେ ଯୁବତୀ ପୂଜା ସ୍ୱାଇଁଙ୍କର ଖରିଡ଼ା ଗ୍ରାମର ଚିଣ୍ଟୁ ଗୌଡ଼ଙ୍କ ସହ ସୋସିଆଲ ମିଡ଼ିଆରୁ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଉଭୟ ମନ୍ଦିରରେ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ଏହା ପରେ ମହିଳା ଜଣକ ଛଅ ମାସର ଗର୍ଭବତୀ ମଧ୍ୟ ଥିଲେ। କିଛି ମାସ ହେବ ଉଭୟ ପୁରୀରେ ଭଡ଼ାରେ ରହୁଥିଲେ। କିନ୍ତୁ ୧୫ ଦିନ ତଳେ ଚିଣ୍ଟୁ ମହିଳାଙ୍କୁ ତାଙ୍କ ଘର ଲୋକଙ୍କ ସହ ଦେଖା କରାଇବାକୁ କହି ବ୍ରହ୍ମପୁର ଷ୍ଟେସନରେ ଛାଡ଼ି ଚାଲିଯାଇଥିଲେ। ପରେ ଚିଣ୍ଟୁଙ୍କର କୌଣସି ଖୋଜ ଖବର ମିଳିନଥିଲା । ଏନେଇ ମହିଳା ଜଣକ ହିଞ୍ଜିଳି ଥାନାର ଦ୍ଵାରସ୍ଥ ହୋଇଥିଲେ । ହେଲେ ନ୍ୟାୟ ନମିଳିବାରୁ ଗତ କାଲି ଠାରୁ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଥିଲେ। ଧାରଣାରେ ବସିଥିବାବେଳେ ଚିଣ୍ଟୁଙ୍କ ସାନ ଭାଇ ଟାଙ୍ଗିଆରେ ହାଣି ମହିଳାଙ୍କୁ ହତ୍ୟା କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବାବେଳେ ଅଭିଯୁକ୍ତକୁ ଗିରଫ କରିଛି ।