ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ହତ ବାଉଁଶଗାଡ଼ିଆ କାଣିପଦା ଜଙ୍ଗଲରେ ପଥର ଖୋଲ ଭିତରେ ଜଣେ ନାବାଳକ ଫସିଯାଇଛନ୍ତି । ମହୁ ସଂଗ୍ରହ କରିବାକୁ ଯାଇଥିବାବେଳେ ନାବାଳକ ଜଣକ ଫସିଯାଇଛନ୍ତି । ନୟାଗଡ଼ ଏବଂ ଓଡ଼ଗାଁ ଅଗ୍ନିଶମ ଅଧିକାରୀ ନାବାଳକକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ ଓଡ଼ଗାଁ ବାଉଁଶଗାଡ଼ିଆର ଜଣେ ନାବାଳକ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇଥିଲେ । ଅସାବଧାନତା ବଶତଃ ସେ ଏକ ପଥର ସନ୍ଧି ଭିତରେ ଫସିଯାଇଥିଲେ । ଏ ନେଇ ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ବହୁତ ବଡ଼ ପଥର ଖଣ୍ଡ ହୋଇଥିବାରୁ ନାବାଳକକୁ ସୁରକ୍ଷିତ ବାହାର କରିବା ଉଦ୍ଧାରକାରୀ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଉଦ୍ଧାର ସମୟରେ ନାବାଳକ ଯେପରି କୌଣସି କ୍ଷତି ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି । ଏହା ସହିତ ନାବାଳକ ସହିତ ନିରନ୍ତର କଥା ହେବାକୁ ଚେଷ୍ଟା କରାଯାଉଛି । ଦୁଇଟି ଅଗ୍ନିଶମ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।