ବଲାଙ୍ଗୀର, କଳାହାଣ୍ଡି: ଓଡ଼ିଶାରେ ଦୁର୍ନୀତି ବିରୋଧୀ ଅଭିଯାନ ଜୋରଦାର ହୋଇଛି। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଅଫିସରେ ଅମିନ ନିର୍ମଳେନ୍ଦୁ କବି ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ଜମି ପାର୍ଟିସନ କାମ ପାଇଁ ସେ ବାରମ୍ବାର ଟଙ୍କା ଦାବି କରୁଥିବାରୁ ଭାଲୁମୁଣ୍ଡାର ହରେକୃଷ୍ଣ ମେହେର ଅଭିଯୋଗ କରିଥିଲେ। ଯୋଜନାବଦ୍ଧ ଟ୍ରାପରେ ଟଙ୍କା ନେବା ସମୟରେ ତାଙ୍କୁ କାବୁ କରାଯାଇଛି।
ସେହିପରି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏକ ସମାନ ଘଟଣା ଦେଖାଯାଇଛି। ଜୁନାଗଡ଼ ବ୍ଲକର ଆକାଉଣ୍ଟାଣ୍ଟ ଦେବେନ୍ଦ୍ର ସାହୁ ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବା ନାଁରେ ସେ ଟଙ୍କା ମାଗିଥିବା ଅଭିଯୋଗ ରହିଛି। ରାପଡ଼ିବା ପରେ ଭିଜିଲାନ୍ସ ତାଙ୍କର ଆୟ ବର୍ହିଭୁତ ସମ୍ପତ୍ତି ମଧ୍ୟ ଯାଞ୍ଚ କରୁଛି।
ଏହା ସହିତ ବଲାଙ୍ଗିର ଆରଡି ବିଭାଗରେ ଟେଣ୍ଡର ମାନିପୁଲେସନ ଅଭିଯୋଗ ନେଇ ନୂତନ ବିବାଦ ସୃଷ୍ଟି ହୋଇଛି। ଜଣେ ଠିକେଦାରଙ୍କୁ ଅନ୍ୟାୟଭାବେ ବାଦ ଦେବା ପାଇଁ ଟେଣ୍ଡର ପ୍ରକ୍ରିୟାରେ ଗଡବଡ ହୋଇଥିବା ଅଭିଯୋଗ ଆସିଛି। ଏନେଇ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି ଏବଂ ସମ୍ପର୍କିତ ଅଧିକାରୀଙ୍କୁ ଆବଶ୍ୟକ ଦଲିଲ ସହ ହାଜିର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଲାଞ୍ଚ ଓ ଟେଣ୍ଡର ଗଡବଡର ଏହି ତିନୋଟି ଘଟଣା ଏକ ସନ୍ଦେଶ ଦେଉଛି, ଦୁର୍ନୀତିର ଜାଲ ଏବେ ମଧ୍ୟ ଗଭୀର, କିନ୍ତୁ ଭିଜିଲାନ୍ସର କଡ଼ା ନଜର ତାହାକୁ ଭଙ୍ଗିବାରେ ଲାଗିଛି।