ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଘରୁ ଟଙ୍କା ଏବଂ ଅଳଙ୍କାର ଚୋରି ଘଟଣାରେ ଧରାପଡିଲା ଚୋର। ଅଭିଯୁକ୍ତ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ଭୁବନେଶ୍ୱର କମିଶନରେଟ୍ ପୋଲିସ। ସିସିଟିଭି ଫୁଟେଜ୍ ଦ୍ୱାରା ସବିଶେଷ ତଦନ୍ତ ପରେ ଅଭିଯୁକ୍ତ ରବିନ୍ଦ୍ର ନାୟକ ଓରଫ ଗୋବରାକୁ ଗିରଫ କରାଯାଇଛି।
ଫରେଷ୍ଟ ପାର୍କ ବାସଭବନରେ ଚୋରି
ପୋଲିସର ସୂଚନା ଅନୁଯାୟୀ, ଘଟଣାଟି ମେ ୧ ତାରିଖ ଭୋର ସମୟରେ ଫରେଷ୍ଟ ପାର୍କ ଅଞ୍ଚଳର ଅଧିକାରୀଙ୍କ ବାସଭବନରେ ଘଟିଥିଲା। ଅବିଯୁକ୍ତା ଜଣକ ପଛ କାନ୍ଥ ଡେଇଁ ଘର ଭିତରେ ପଶିଥିବା ଅଭିଯୋଗ ହୋଇଛି। ଏହି ସ୍ଥାନଟି ପୋଲିସ କମିଶନର ଏସ. ଦେବ ଦତ୍ତ ସିଂହଙ୍କ ବାସଭବନ ନିକଟରେ ଅବସ୍ଥିତ, ତେବେ ଏହି ହାଇ-ସେକ୍ୟୁରିଟି ଏରିଆରେ ଚୋରି ଘଟଣା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।
IAS ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ପତ୍ନୀ ବୈଶାଳୀଙ୍କ ଅଭିଯୋଗ ଅନୁଯାୟୀ, ରାତି ୧୨ଟା ୩୦ରୁ ସକାଳ ୯ଟା ମଧ୍ୟରେ ଚୋରି ହୋଇଥିଲା। ଏକ ହ୍ୟାଣ୍ଡବ୍ୟାଗ୍ ସହ ଟଙ୍କା, ୨ଟି ସୁନାର କାନବୁନ୍ଦା ଏବଂ ଗୋଟିଏ ଡାୟମଣ୍ଡ ରିଙ୍ଗ ନେଇ ଫେରାର ହୋଇଥିଲା ଅଭିଯୁକ୍ତ।
ତଦନ୍ତ ସମୟରେ ସିସିଟିଭି ଫୁଟେଜ୍ ପୁଲିସ ପାଇଁ ମୁଖ୍ୟ ସୂତ୍ର ହୋଇଥିଲା। ଏହା ସହିତ ଅଭିଯୁକ୍ତଙ୍କ ପୂର୍ବରୁ ଥିବା ଚୋରି ମାମଲା ତାଙ୍କୁ ଚିହ୍ନଟ କରିବାରେ ସହଯୋଗ କରିଥିଲା। ଲିଙ୍ଗରାଜ ଓ ଏୟାରଫିଲ୍ଡ ଥାନାରେ ପୂର୍ବ ରେକର୍ଡ ଥିବା ଏହି ଅଭିଯୁକ୍ତ ପୁଲିସ ପାଇଁ ଅଜଣା ନୁହେଁ।
ଗିରଫ ପରେ ଅଭିଯୁକ୍ତ ନିକଟରୁ କେବଳ ଅଲ୍ପ ପରିମାଣର ଟଙ୍କା ଜବତ ହୋଇଥିବାବେଳେ, ଅବଶିଷ୍ଟ ସୁନା-ଗହଣା ଖୋଜା ଚାଲିଛି। ଏହା ସହ ଏହି ଚୋରିରେ ଅନ୍ୟ କେହି ଜଡିତ କି ନୁହେଁ, ସେନେଇ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି।
ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ?
ତେବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ, ରାଜଧାନୀର ଏକ ସୁରକ୍ଷିତ ତଥା ପୋଶ୍ ଅଞ୍ଚଳରେ ଥିବା ଜଣେ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଘରେ ଦୁର୍ବୃତ୍ତମାନେ ପଶିବାକୁ କିପରି ସାହସ କଲେ? ଏତେ ସୁରକ୍ଷା ଭିତରେ ବି ଏହି ଲୁଟ୍ ପୋଲିସର ରାତ୍ରିକାଳୀନ ପେଟ୍ରୋଲିଂ ଏବଂ ତତ୍ପରତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ଲଗାଇଦେଇଛି। ସହରରେ ଲଗାତର ଭାବେ ବଢ଼ୁଥିବା ଚୋରି, ଲୁଟ୍ ଓ ଛିନତାଇ ଘଟଣା ସାଧାରଣ ନାଗରିକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। ବର୍ତ୍ତମାନ ପୋଲିସ ପାଇଁ ଏହି ଲୁଟେରା ଗ୍ୟାଙ୍ଗ୍କୁ ଧରିବା ଏକ ବଡ଼ ଚାଲେଞ୍ଜ ପାଲଟିଛି।