ଭୁବନେଶ୍ୱର: ଦୀର୍ଘ ୩୦ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜମି ଫେରାଇଛନ୍ତି ରାଜ୍ୟ ସରକାର । ଶ୍ରୀଲିଙ୍ଗରାଜଙ୍କ ଖାତାକୁ ସରକାର ୧୪୯ ଏକର ୫୭୦ ଡେସିମିଲ ଜମି ଫେରାଇଛନ୍ତି । ଫେରସ୍ତ ହୋଇଥିବା ସରକାରୀ ଜମି ମଧ୍ୟରୁ ଅଧିକାଂଶ ଭୁବନେଶ୍ୱର, ରାଜାରାଣୀ, ଗୌତମନଗର, କପିଳପ୍ରସାଦ ଆଦି ରାଜସ୍ୱ ଗ୍ରାମରେ ରହିଛି । ତଥାପି ୯୦ ପ୍ରତିଶତ ଜମି ଏବେବି ଜବର ଦଖଲରେ ରହିଛି ।
ଭୁବନେଶ୍ୱର ଓ ଏହାର ପାଶ୍ୱର୍ବର୍ତ୍ତୀ ରାଜସ୍ୱ ଗ୍ରାମରେ ମହାପ୍ରଭୁ ଲିଙ୍ଗରାଜଙ୍କର ପ୍ରାୟ ୩ ହଜାର ୬୦୦ ଏକର ଜମି ରହିଛି । ଏକର ଏକର ଜମି ସରକାରଙ୍କ ଅଧୀନରେ ଥିଲା । ଜମିଦାର ଉଚ୍ଛେଦ ଆଇନ ପରେ ସରକାର ଜମି ଫେରସ୍ତ ନ କରିବାରୁ ୧୯୯୧ରେ ମକଦ୍ଦମାରେ ଆରମ୍ଭ ହେଲା । ସେବେଠାରୁ ଏହି ମାମଲା କୋର୍ଟରେ ଗଡ଼ୁ ଥିଲା । ଚଳିତ ବନ୍ଦୋବସ୍ତ ପୂର୍ବରୁ ସରକାର ଶ୍ରୀଜିଉଙ୍କ ସମସ୍ତ ଭୂସମ୍ପତ୍ତି ରେକର୍ଡକୁ ଜବତ କରି ନେଇଥିଲେ । ଏହା ପରେ ଠାକୁରଙ୍କ ଖୋଦ ଦଖଲ ଜମିକୁ ସରକାରୀ ଜମି ଭାବେ ପରିବର୍ତ୍ତନ କରି ଦେଇଥିଲେ । ତେବେ ୨୦୨୨ ମସିହାରେ ମାମଲାର ଶୁଣାଣି ହୋଇ ଚୂଡ଼ାନ୍ତି ନିଷ୍ପତ୍ତି ନିଆଯାଇଛି । ଅଦାଲତ ଶ୍ରୀଲିଙ୍ଗରାଜଙ୍କ ଖାତାକୁ ଉପରୋକ୍ତ ପରିମାଣର ଜମି ଫେରାଇ ଦେବାକୁ ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ ପର୍ଯ୍ୟାୟକ୍ରମେ ରେକର୍ଡ ସଂଶୋଧନ ହୋଇ ଉକ୍ତ ସରକାରୀ ଜମି ଠାକୁରଙ୍କ ଖାତାରେ ଚଢ଼ିଛି ।