ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ପ୍ରେମ ନିବେଦନ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଯୁବକଙ୍କୁ ପିଟିପିଟି ହତ୍ୟା କରିଦେଇଛନ୍ତି ଝିଅ ଘର ଲୋକେ । ମୃତ ଯୁବକ ଜଣକ ହେଲେ ପୁରୁଷୋତ୍ତମପୁର ପଞ୍ଚାୟତର ସୁଦର୍ଶନ ସୂତାରଙ୍କ ପୁଅ ସୁବାସ ସୂତାର ।
ସୁବାସ କାଞ୍ଚପଡ଼ା ପଞ୍ଚାୟତ ବିରବ୍ରହ୍ମପୁର ଗାଁର ଭଗବାନ କରଙ୍କ ଝିଅକୁ ମୋବାଇଲରେ ପ୍ରେମ ନିବେଦନ କରିଥିଲେ । ଭଗବାନ କର ଏସମ୍ପର୍କରେ ଜାଣିବା ପରେ ସୁବାଷଙ୍କୁ ଗାଡ଼ିରେ ଉଠାଇ ନେଇଥିଲେ । ବିରବ୍ରହ୍ମପୁର ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡ଼ିର ଏକ ଖୁଣ୍ଟରେ ବାନ୍ଧି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ସୁବାସ ଗୁରୁତର ହୋଇପଡ଼ିବାରୁ ତାଙ୍କ ଛାଡ଼ି ଚାଲି ଯାଇଥିଲେ । ଏହା ପରେ ସ୍ଥାନୀୟ ଲୋକେ ସୁବାସଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସିମୁଳିଆ ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ସିମୁଳିଆ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ସିମୁଳିଆ ପୋଲିସ ଜଣଙ୍କୁ ଅଟକ ରଖି ଜେରା କରୁଛି ।