ମଧ୍ୟପ୍ରଦେଶ ଜବଲପୁର ବୋଟ ବୁଡି ଘଟଣା ସମସ୍ତ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ଏହି ଘଟଣା ପରେ ଏବେ ତତ୍ପରତା ଦେଖାଇଛି ଖୋର୍ଦ୍ଧା ପ୍ରଶାସନ। ଚିଲିକା ହ୍ରଦରେ ଯାତ୍ରୀବାହି ନୌକା ଚାଳନା ସମୟରେ ଯାତ୍ରୀମାନଙ୍କ ଜୀବନ ସୁରକ୍ଷା ପାଇଁ କଟକଣା ଲଗାଇଛନ୍ତି। ବିନା ଲାଇଫ୍ ଜ୍ୟାକେଟରେ ଚିଲିକାରେ ଜଳଯାତ୍ରା ମନା। ଏନେଇ ନୌକା ବିହାରରେ ବ୍ୟବହୃତ ଡଙ୍ଗା ଓ ବୋଟ୍ ମାଲିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଗ୍ରୀଷ୍ମ ଋତୁରେ ପ୍ରାୟତଃ କାଳବୈଶାଖୀ ଏବଂ ଘୂର୍ଣିଝଡ଼ ଜନିତ ବର୍ଷା, ତୋଫାନ ହେଉଥିବାରୁ ନୌକା ଚାଳନା ସମୟରେ ପ୍ରତ୍ୟେକ ବୋଟ୍ ରେ ଯାତ୍ରୀମାନଙ୍କୁ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ। ଚିଲିକାରେ ସମସ୍ତ ଯାତ୍ରୀବାହି ବୋଟ, ନୌକା, ଡଙ୍ଗା ନିୟମ ୨୦୦୪କୁ ବଳବତ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ବୋଟ୍ ମାଲିକମାନେ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବେ। ଯଦି କୌଣସି ଡଙ୍ଗା, ବୋଟ୍ ମାଲିକ ପ୍ରଶାସନ ନିର୍ଦ୍ଦେଶାନାମାକୁ ଉଲ୍ଲଙ୍ଘନ କରେ ତାହାହେଲେ ସଂପୃକ୍ତ ଡଙ୍ଗା ମାଲିକ ଓ ଚାଳକଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ଚେତାବନୀ ଦେଇଛି।
ସେହିପରି ଘରୋଇ ଡଙ୍ଗା ଓ ନୌକାର ପରମିଟ୍, ଫିଟ୍ନେସ୍ ଯାଞ୍ଚ କରିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ବିଭାଗୀୟ ଅଧିକାରୀଙ୍କୁ ଆଦେଶ ଦେଇଥିବା ଜଣାପଡ଼ିଛି। ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏ ସମ୍ପର୍କରେ ଜିଲ୍ଲାପାଳ ଚିଲିକା ତଟବର୍ତ୍ତୀ କାଳିଜାଇ ବୋଟ୍ ମାଲିକ ସଂଘ,ବଡ଼କୂଳ, ମା’ କାଳିଜାଇ ଶ୍ରମିକ ସଂଗଠନକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ ଇସ୍ତାହାର ଜରିଆରେ ଅବଗତ କରାଯାଇଛି।