"ମୋ କ୍ୟାରିଅରରେ ମତେ କେବେ ଟି-୨୦ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଇନାହିଁ", କିଛି ଏଭଳି କହିଛନ୍ତି ଭାରତୀୟ ଦଳ ତଥା ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟ୍ସମ୍ୟାନ କେଏଲ ରାହୁଲ । କିନ୍ତୁ ବର୍ତ୍ତମାନ ସେ ସେହି ଧାରଣାକୁ ବଦଳାଇ ଦେଇଛନ୍ତି, ଯେଉଁଥିପାଇଁ ସେ ବହୁତ ଖୁସି ଅଛନ୍ତି । ରାହୁଲ କହିଛନ୍ତି ଦୀର୍ଘ ଦିନ ଧରି ସୀମିତ ଓଭର କ୍ରିକେଟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ କୁ ନେଇ ସେ ଅନେକ ସମାଲୋଚନାର ଶିକାର ହୋଇଛନ୍ତି। ଆଉ ଏବେ ସେ ଅନେକ ସମାଲୋଚନା କରୁଥିବା ବ୍ୟକ୍ତିଙ୍କ ପାଟି ଚୁପ କରିଦେଇଛନ୍ତି ।
ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ରାହୁଲଙ୍କ ୬୭ ବଲରେ ଅପରାଜିତ ୧୫୨ ରନର ଇନିଂସ ସମସ୍ତଙ୍କୁ ଚକିତ କରିଥିଲା । ସେହି ଇନିଂସ ବଳରେ ରାହୁଲ ଆଇପିଏଲ ଇତିହାସର ଗୋଟିଏ ଇନିଂସରେ ସର୍ବାଧିକ ରନ ସ୍କୋର କରିଥିବା ଭାରତୀୟ ହୋଇଥିଲେ । ରାହୁଲ ୨୦୨୨ ପରଠାରୁ ଭାରତୀୟ ଟି-୨୦ ଦଳରେ ସାମିଲ ହେବାର ସୁଯୋଗ ପାଇନାହାନ୍ତି । ତାଙ୍କୁ କେବଳ ଟେଷ୍ଟ ଓ ଦିନିକିଆ ମ୍ୟାଚ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି । ରାହୁଲ ଏକ ଇଣ୍ଟରଭିଉରେ କହିଛନ୍ତି, "ମୁଁ ୧୦ ବର୍ଷ ପୂର୍ବେ ଟି-୨୦ ଦଳରେ ସ୍ଥାନ ପାଇବା ପାଇଁ ସବୁକିଛି କରିଥିଲି । ମତେ କେବେ ଟି-୨୦ ଖେଳାଳି ଭାବେ ବିବେଚନା କରାଯାଇନାହିଁ, କେବଳ ଟି-୨୦ ନୁହେଁ ବରଂ ମତେ ଧଳା ବଲରେ ହିଁ ଗୋଟେ ଭଲ ଖେଳାଳି ଭାବେ ବିବେଚନା କରାଯାଇନାହିଁ । ମତେ ଗୋଟେ ଟେଷ୍ଟ ପ୍ଲେଆର ଭାବେ ଚୟନ କରାଯାଇଛି । ତେଣୁ ଏହି ଚିନ୍ତାଧାରାକୁ ବଦଳାଇବା ପାଇଁ, ମୁଁ ଧଳା ବଲ ପାଇଁ ମୋ ଖେଳରେ ଅନେକ ଉନ୍ନତି ଆଣିଛି ଓ ଏହି ସ୍ତରରେ ପହଞ୍ଚିବା ପାଇଁ ମୁଁ ଗର୍ବିତ । ଏହି ସମୟରେ ମୁଁ ଅନେକ ଭୁଲ ମଧ୍ୟ କରିଛି, ଯାହା ମୁଁ ଆହୁରି ଭଲ କରିପାରିଥାନ୍ତି ।"
ରାହୁଲ କହିଛନ୍ତି ସେ ତାଙ୍କ କ୍ୟାରିଅରରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି । ତାଙ୍କୁ ଯେବେ ଭାରତୀୟ ଦଳର ଅଧିନାୟକ ହେବାର ସୁଯୋଗ ମିଳିଛି ସେ ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିଛନ୍ତି । ସେ ସେହି ଭାବେ ନିଜକୁ ପ୍ରସ୍ତୁତ କରିଛନ୍ତି, ଯେଉଁଭଳି ସେ ନିଜକୁ ସର୍ବଶ୍ରେଷ୍ଠ ଖେଳାଳି ଭାବେ ଗଢିତୋଳିବେ । ଏହି ସମୟ ମଧ୍ୟରେ ସେ ଶିଖିବାକୁ ପାଇଛନ୍ତି କି କିଭଳି ଖରାପ ସମୟରେ ନିଜ ଦୃଷ୍ଟିକୋଣକୁ ବଜାୟ ରଖିବେ । ସେ କହିଛନ୍ତି "ମୁଁ ଯେତେବେଳେ ଏହି କଥାକୁ ନେଇ ଦୁଃଖ ଅନୁଭବ କରେ ସେତେବେଳେ କଣ ନକରିପାରିଛି ତାହା ଚିନ୍ତା କରିବା ପରିବର୍ତ୍ତେ କଣ ହାସଲ କରିଛି ତାହା ଉପରେ ଅଧିକ ଗୁରୁତ୍ୱ ଦିଏ ।