ମୁମ୍ବାଇ: ୫ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ (MI) ପାଇଁ ଚଳିତ ଆଇପିଏଲ୍ ୨୦୨୬ ସିଜିନ୍ ଏକ ଦୁଃସ୍ୱପ୍ନ ପାଲଟିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଏପର୍ଯ୍ୟନ୍ତ ୯ଟି ମ୍ୟାଚରୁ ୭ଟିରେ ପରାଜିତ ହୋଇ ପ୍ଲେ-ଅଫ୍ ଦୌଡ଼ରୁ ପ୍ରାୟତଃ ବାହାର ହୋଇଯାଇଛି। ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ ପରାଜୟ ପରେ ପୂର୍ବତନ ଭାରତୀୟ କ୍ରିକେଟର ମନୋଜ ତିୱାରୀ ହାର୍ଦ୍ଦିକଙ୍କ ନେତୃତ୍ୱ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
ଡ୍ରେସିଂ ରୁମରେ ଏକତା ନାହିଁ!
କ୍ରିକବଜ ସହ ଆଲୋଚନା କରି ମନୋଜ ତିୱାରୀ କହିଛନ୍ତି ଯେ, ମୁମ୍ବାଇ ଇଣ୍ଡିଆନ୍ସର ଡ୍ରେସିଂ ରୁମରେ ଆଉ ପୂର୍ବ ଭଳି ଏକତା ଦେଖିବାକୁ ମିଳୁନାହିଁ। ଜଣେ ଅଧିନାୟକ ଭାବେ ଖେଳାଳିଙ୍କ ବିଶ୍ୱାସ ଜିତିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ହାର୍ଦ୍ଦିକ ଏଥିରେ ବିଫଳ ହୋଇଥିବା ପରି ମନେହେଉଛି। ତିୱାରୀ କହିଛନ୍ତି ଏମିତି ଲାଗୁଛି ଯେପରି ଖେଳାଳିମାନେ ହାର୍ଦ୍ଦିକଙ୍କ ସହ ସମ୍ପୂର୍ଣ୍ଣ ଭାବେ ଠିଆ ହୋଇନାହାନ୍ତି। ଜଣେ ଅଧିନାୟକଙ୍କୁ ଯେଉଁ ସମର୍ଥନ ମିଳିବା କଥା, ତାହା ହାର୍ଦ୍ଦିକଙ୍କୁ ମିଳୁନାହିଁ।
କାହିଁକି ବୁମ୍ରାଙ୍କୁ ପ୍ରଥମ ଓଭର ଦିଆଗଲା ନାହିଁ?
ଚେନ୍ନାଇ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକଙ୍କ ରଣନୀତିକୁ ନେଇ ତିୱାରୀ କଡ଼ା ସମାଲୋଚନା କରିଛନ୍ତି। ବିଶେଷ କରି ଦଳର ଷ୍ଟ୍ରାଇକ୍ ବୋଲର ଜସପ୍ରୀତ ବୁମ୍ରାଙ୍କ ବ୍ୟବହାରକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଯେତେବେଳେ ବୁମ୍ରା ଦଳର ସବୁଠାରୁ ମୁଖ୍ୟ ବୋଲର, ତାଙ୍କୁ ପ୍ରଥମ ଓଭର ନଦେଇ ଦ୍ୱିତୀୟ ଓଭର କାହିଁକି ଦିଆଗଲା ?
ଯଦି ବୁମ୍ରା ପ୍ରଥମ ଓଭରରେ ୱିକେଟ୍ ନେଇଥାନ୍ତେ, ତେବେ ନୂଆ ବ୍ୟାଟରଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି ହୋଇଥାନ୍ତା। ତୃତୀୟ ଓଭରରେ ଟ୍ରେଣ୍ଟ ବୋଲ୍ଟ ୧୭ ରନ୍ ବ୍ୟୟ କରିଥିଲେ। ଯଦି ବୁମ୍ରା ପ୍ରଥମ ଓଭର ପକାଇଥାନ୍ତେ, ତେବେ ସେ ହିଁ ତୃତୀୟ ଓଭର ପକାଇଥାନ୍ତେ ଏବଂ ରନ୍ ଗତିକୁ ନିୟନ୍ତ୍ରଣ କରିପାରିଥାନ୍ତେ।
ଅଧିନାୟକଙ୍କ ଉପରେ ଦାୟିତ୍ୱ
ମନୋଜ ତିୱାରୀଙ୍କ ମତରେ, ପଡ଼ିଆରେ କେଉଁ ବୋଲରଙ୍କୁ କେତେବେଳେ ବ୍ୟବହାର କରାଯିବ, ତାହା କେବଳ ଅଧିନାୟକ ହିଁ ସ୍ଥିର କରନ୍ତି, ହେଡ୍ କୋଚ୍ ନୁହେଁ। ହାର୍ଦ୍ଦିକଙ୍କ ଏହି ବାରମ୍ବାର 'ପ୍ରୟୋଗ' ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। ବର୍ତ୍ତମାନର ସ୍ଥିତି ଅନୁଯାୟୀ, ମୁମ୍ବାଇକୁ ପ୍ଲେ-ଅଫରେ ପହଞ୍ଚିବା ପାଇଁ କୌଣସି ଚମତ୍କାର ଏବଂ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ।