ନିଜ ବିସ୍ଫୋରକ ବ୍ୟାଟିଂ ଓ ଯୁବ ବୋଲିଂ ୟୁନିଟ ବଳରେ ଲଗାତାର ୫ ଟି ମ୍ୟାଚ ଜିତି କମ୍-ବ୍ୟାକ୍ କରିବା ସହ ଚଳିତ ସିଜିନ ଟ୍ରଫି ଜିତିବା ପାଇଁ ଲକ୍ଷ୍ୟ ରଖିଥିବା ସନରାଇଜର୍ସ ହାଇଦ୍ରାବାଦ ରବିବାର ଅପରାହ୍ନରେ କୋଲକାତା ନାଇଟ ରାଇଡ଼ର୍ସକୁ ଭେଟିବାକୁ ଯାଉଛି । ଅନ୍ୟପଟେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ କୋଲକାତା ଚଳିତ ସିଜିନରେ ସଂଘର୍ଷ କରୁଥିବାବେଳେ ଶେଷ ଦୁଇଟି ମ୍ୟାଚ ଜିତି କମ୍-ବ୍ୟାକ୍ କରିଛି।
ଚଳିତ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ ୯ ଟି ମ୍ୟାଚରୁ ୬ ଟି ବିଜୟ ସହ ୧୨ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । କୋଲକାତା ନାଇଟ ରାଇଡ଼ର୍ସ ଚଳିତ ସିଜିନରେ ୮ ଟି ମ୍ୟାଚ ଖେଳିଛି, ଶେଷ ଦୁଇଟି ମ୍ୟାଚରେ ବିଜୟ ଓ ଗୋଟିଏ ମ୍ୟାଚ ବର୍ଷା ପାଇଁ ରଦ୍ଦ ହେବା କାରଣରୁ ୫ ପଏଣ୍ଟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି।
ହାଇଦ୍ରାବାଦର ଅଭିଷେକ ଶର୍ମା ଓ ହେନରିକ କ୍ଲାସେନ ଚମତ୍କାର ଫର୍ମରେ ଅଛନ୍ତି । ଚଳିତ ସିଜିନରେ ସର୍ବାଧିକ ରନ ତାଲିକା ସୂଚୀରେ ଅଭିଷେକ ଦ୍ଵିତୀୟ ଓ କ୍ଲାସେନ ତୃତୀୟ ସ୍ଥାନରେ ଅଛନ୍ତି । ଈଶାନ କିଷାନ ମଧ୍ୟ ଭଲ ଫର୍ମରେ ଥିବାବେଳେ ପୂର୍ବ ମ୍ୟାଚରେ ଟ୍ରାଭିସ ହେଡ଼ ନିଜ ଫର୍ମ ଫେରିପାଇଛନ୍ତି । ଯୁବ ବ୍ୟାଟର ନୀତିଶ କୁମାର ରେଡ୍ଡୀ ଓ ସଲିଲ ଅରୋରା ମଧ୍ୟ ପ୍ରଭାବଶାଳୀ ବ୍ୟାଟିଂର ପ୍ରଦର୍ଶନ କରିଛନ୍ତି । ଅଧିନାୟକ ପ୍ୟାଟ କମିନ୍ସଙ୍କ ପ୍ରତ୍ୟାବର୍ତ୍ତନ ପରେ ହାଇଦ୍ରାବାଦର ବୋଲିଂ ୟୁନିଟ ପୂର୍ବଠାରୁ ଅଧିକ ମଜବୁତ ନଜର ଆସୁଛି । ଯୁବ ବୋଲର ପ୍ରଫୁଲ୍ଲ ହିଙ୍ଗେ, ଇଶାନ ମାଲିଙ୍ଗା, ସାକିବ ହୁସେନ ଓ ନୀତିଶ ରେଡ୍ଡୀ ଚଳିତ ସିଜିନରେ ହାଇଦ୍ରାବାଦ ପାଇଁ ବେଶ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି ।
ଆଇପିଏଲ ୨୦୨୬ ରେ ନିରାଶାଜନକ ଅଭିଯାନ ସତ୍ୱେ କୋଲକାତା ଶେଷ ଦୁଇଟି ମ୍ୟାଚରେ ବିଜୟ ହାସଲ କରିଛି । କିନ୍ତୁ ବର୍ତ୍ତମାନ ମଧ୍ୟ କୋଲକାତାର ବ୍ୟାଟିଂ ୟୁନିଟ ସେଭଳି ପ୍ରଭାବଶାଳୀ ପ୍ରଦର୍ଶନ କରିବାରେ ସଫଳ ହୋଇନାହାନ୍ତି । କୋଲକାତାର ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ନିଷ୍ପତି ଅନେକ ସମୟରେ ଆଶ୍ଚର୍ଯ୍ୟଚକିତ କରିଛି । ପ୍ଲେଇଂ ୧୧ ଚୟନ ହେଉ କିମ୍ବା ଟସ୍ ଜିତିବାରେ ନିଷ୍ପତି ନେବା, ଅନେକ ସମୟରେ ରାହାଣେ ଏହି ନିଷ୍ପତି ନେବାରେ ଭୁଲ ପ୍ରମାଣିତ ହୋଇଛନ୍ତି । କୋଲକାତା ପାଖେ ରଚିନ ରବୀନ୍ଦ୍ରଙ୍କ ଭଳି ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ଥାଇ ମଧ୍ୟ ଚଳିତ ସିଜିନରେ ସେମାନେ ତାଙ୍କୁ ପ୍ଲେଇଂ ୧୧ ରେ ସାମିଲ କରିନାହାନ୍ତି ।
ଫିନ୍ ଆଲେନ୍ ଏବଂ ଟିମ୍ ସାଇଫର୍ଟଙ୍କ ଭଳି ଖେଳାଳି ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବାବେଳେ କ୍ୟାମରନ ଗ୍ରୀନ ଓ ରୋଭମାନ ପାୱେଲ୍ ଆଶାନୁରୂପ ପ୍ରଦର୍ଶନ କରିନାହାଁନ୍ତି। ଦୁର୍ବଳ ପେଶ ୟୁନିଟ ସହ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଖରାପ ଫର୍ମ ପାଇଁ ଚଳିତ ସିଜିନରେ କୋଲକାତାକୁ ସଂଘର୍ଷ କରିବାକୁ ପଡୁଛି । ବୋଲିଂ ବିଭାଗରେ କୋଲକାତା ଅନୁକୂଲ ରୟ, ବୈଭବ ଅରୋରା ଓ କାର୍ତିକ ତ୍ୟାଗୀଙ୍କ ଭଳି ଯୁବ ଭାରତୀୟ ବୋଲରଙ୍କ ଉପରେ ନିର୍ଭର କରୁଛି।