ବାଲେଶ୍ୱର: ପୁଣି ଜଳ ନେଇଛି ଜୀବନ । ପୋଖରୀରେ ଗାଧୋଉଥିବାବେଳେ ଦୁଇ ସମ୍ପର୍କୀୟ ଭଉଣୀ ପାଣିରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଭୂଇଁପଡ଼ା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି । ମୃତକ ହେଲେ ସଞ୍ଜୟ ମଲ୍ଲିକଙ୍କ ଝିଅ ଅନ୍ନପୂର୍ଣ୍ଣା ମଲ୍ଲିକ ଏବଂ ସୁଜିତ ମଲ୍ଲିକଙ୍କ ଝିଅ ଅନ୍ୟସା ମଲ୍ଲିକ । ଉଭୟଙ୍କ ବୟସ ୧୦ ବର୍ଷ ହେବ ବୋଲି ଜଣାପଡ଼ିଛି ।
ପ୍ରାପ୍ତ ପ୍ରାଥମିକ ସୂଚନା ମୁତାବକ, ଅନ୍ନପୂର୍ଣ୍ଣା ଓ ଅନ୍ୟସା ଆଜି ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ହଠାତ୍ ଦୁଇ ଭଉଣୀ ପାଣିରେ ବୁଡ଼ି ଯାଇଥିଲେ । ପୋଖରୀରେ ଥିବା ଅନ୍ୟଲୋକ ଉଭୟକୁ ଦେଖି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ପୋଖରୀରେ ଅଧିକ ପାଣି ଥିବାରୁ ଉଭୟ ଗଭୀର ଭିତରକୁ ଚାଲି ଯାଇଥିଲେ । ତେବେ ସ୍ଥାନୀୟ ଲୋକେ ବହୁତ ଖୋଜାଖୋଜି କରିବା ପରେ ଦୁଇ ଜଣଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।
ଏହାକୁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଦୁଇ ଦୁଇଟି ପରିବାରେ ଏକାବେଳେ ଦୁଇଟି ଜୀବନ ଦ୍ୱୀପ ଲିଭି ଯିବା ପରେ କାନ୍ଦ ବୋବାଳିରେ ଘର ଫାଟି ପଡ଼ୁଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାର କରିଛି ।