ସମ୍ବଲପୁର: ଦୀର୍ଘଦିନ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦକୁ ନେଇ ପୁଣିଥରେ ଶୁଣାଣି ହୋଇଛି। ଏଥିରେ ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟ ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ହେଉଛି , ସେନେଇ ଟ୍ରିବ୍ୟୁନାଲରେ ଅବଗତ କରାଯାଇଛି। ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଏହି ତଥ୍ୟ ଦାଖଲ ହୋଇଥିବା କୁହାଯାଉଛି।
ଶୁଣାଣି ସମୟରେ ଋତୁ ଅନୁଯାୟୀ ପାଣି ପ୍ରବାହରେ ହେଉଥିବା ପରିବର୍ତ୍ତନ ବିଷୟରେ ଆଲୋଚନା ହୋଇଛି। ଆଗାମୀ ମାସର ୩୦ ତାରିଖରେ ପୁଣି ଶୁଣାଣି ହେବାକୁ ଥିବାରୁ, ଏହା ସମାଧାନ ପଥରେ ଗତି ଆଣିପାରିବ ବୋଲି ଆଶା ବଢ଼ିଛି।
ଏହି ବିବାଦର ମୂଳ କାରଣ ହେଉଛି ଛତିଶଗଡ଼ ଉପରମୁଣ୍ଡରେ ବନ୍ଧ କରିବା ସହ ତଳମୁଣ୍ଡରେ ବାଲି ବନ୍ଧ ବାନ୍ଧି ମହାନଦୀର ଜଳ ଅଟକାଉଛି। ଯାହାଫଳରେ ମହାନଦୀରେ ଜଳଧାରା ଓଡ଼ିଶା ମୁହାଁ ହୋଇପାରୁନାହିଁ। ଓଡ଼ିଶାର ଅଭିଯୋଗ ଅନୁସାରେ, ଏହି ପ୍ରକଳ୍ପଗୁଡ଼ିକ ନଦୀର ସ୍ୱାଭାବିକ ପ୍ରବାହକୁ ବାଧା ଦେଉଛି, ବିଶେଷ କରି ଗ୍ରୀଷ୍ମକାଳରେ ପାଣି ଅଭାବ ଦେଖାଯାଉଛି। ଫଳରେ ଓଡ଼ିଶାର କେତେକ ଅଞ୍ଚଳରେ ମହାନଦୀର ଜଳସ୍ତର କମିଯାଇଛି।
ଏହା ସହିତ, ଓଡ଼ିଶା ସରକାର ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛି। ଦୁଇ ରାଜ୍ୟ ମଧ୍ୟରେ ସମନ୍ୱୟ ଆଣିବା ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି ଥିଲେ ମଧ୍ୟ, ଏହାର କାର୍ଯ୍ୟକଳାପ ଏଯାବତ୍ ଆରମ୍ଭ ହୋଇନାହିଁ।
ବର୍ଷ ବର୍ଷ ଧରି ଚାଲିଥିବା ଏହି ବିବାଦର ଶେଷ ରାୟ ଏପର୍ଯ୍ୟନ୍ତ ଆସିନାହିଁ। କିନ୍ତୁ ଆଗାମୀ ଶୁଣାଣି ଏବଂ ତଥ୍ୟ ଆଧାରିତ ଆଲୋଚନା ଦ୍ୱାରା ଏକ ସ୍ଥାୟୀ ସମାଧାନ ମିଳିବ ବୋଲି ସମସ୍ତଙ୍କ ଆଶା ରହିଛି। ଏହି ମାମଲାର ରାୟ ଆଗାମୀଦିନରେ ଜଳ ବଣ୍ଟନ, କୃଷି ଓ ପରିବେଶ ଉପରେ ବଡ଼ ପ୍ରଭାବ ପକାଇବ।