କଟକ: ବିଜେଡ଼ିରୁ ବହିଷ୍କାର ପରେ କୌଣସି ନୂତନ ଦଳ ଗଢ଼ିବେ ନାହିଁ କଟକ-ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ଏ ନେଇ ସେ ସ୍ପଷ୍ଟ ସୂଚନା ଦେଇଛନ୍ତି । ତେବେ ସେ କେଉଁ ଦଳକୁ ଯିବେ ତାହା ଉପରେ ତର୍ଜମା ଜାରି ରଖିଛନ୍ତି ବୋଲି କହିଛନ୍ତି । ସେପଟେ ବାପାଙ୍କୁ ସମର୍ଥନ କରିବାକୁ ଯାଇ ପୁଅ ତଥା ବିଧାୟକ ସୌଭିକ ବିଶ୍ୱାଳ ବଳିଦାନ ପ୍ରସ୍ତୁତ ଥିବା ଦମ୍ଭର ସହ କହିଛନ୍ତି ।
କଟକ ରାଜନୀତିରେ ଏହି ବାପ-ପୁଅଙ୍କ ଯୋଡ଼ି ଏବେ ନୂଆ ସମୀକରଣ ସୃଷ୍ଟି କରିଛି । ଗତକାଲି କଟକ ଚାଉଳିଆଗଞ୍ଜ ପଡ଼ିଆରେ ଏକ କାର୍ଯ୍ୟକ୍ରମରେ ପ୍ରଭାତ ବିଶ୍ୱାଳ ଏବଂ ପୁଅ ସୌଭିକ ବିଶ୍ୱାଳ ଯୋଗ ଦେଇଥିଲେ । ବିଜେଡି ଶିବିରକୁ ଚେତାବନୀ ଦେଇଛନ୍ତି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ସମାବେଶ ଶେଷ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଭାତ ନିଜର ଆଗାମୀ ରଣନୀତି ସ୍ପଷ୍ଟ କରିଛନ୍ତି। ପ୍ରଭାତ ବିଶ୍ୱାଳ କହିଛନ୍ତି ଯେ ଆଜିଠାରୁ ଏହି ଲଢେଇର ଶୁଭାରମ୍ଭ ହୋଇଛି । ତେବେ ସେ ନୂଆ ଦଳ ଗଠନ କରିବା ନେଇ ଚାଲିଥିବା ଚର୍ଚ୍ଚାରେ ବିରାମ ଲଗାଇଛନ୍ତି। ପ୍ରଭାତ ସ୍ପଷ୍ଟ କରିଛନ୍ତି କି ସେ ନୂଆ ଦଳ ଗଢ଼ିବେ ନାହିଁ, ବରଂ କୌଣସି ଏକ ପ୍ରତିଷ୍ଠିତ ଦଳ ସହିତ ହାତ ମିଳାଇବେ। କେଉଁ ଦଳକୁ ସେ ବାଛିବେ, ତାହା ବର୍ତ୍ତମାନ ସସପେନ୍ସରେ ରଖିଥିଲେ ମଧ୍ୟ ଖୁବ୍ଶୀଘ୍ର ରାଜ୍ୟବାସୀଙ୍କ ସାମ୍ନାରେ ଏହା ପ୍ରକାଶ କରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପଟେ ନିଲମ୍ବିତ ବିଧାୟକ ସୌଭିକ ବିଶ୍ୱାଳଙ୍କ ଆଭିମୁଖ୍ୟ ସମସ୍ତଙ୍କୁ ଚକିତ କରିଛି। ସୌଭିକ ମଞ୍ଚ ଉପରେ ନଥିଲେ ମଧ୍ୟ ମଞ୍ଚ ତଳେ ରହି ପୂରା କାର୍ଯ୍ୟକ୍ରମର ପରିଚାଳନା କରୁଥିଲେ। ପୁଅ ସୌଭିକ ମଧ୍ୟ ବାପାଙ୍କ ପାଇଁ ବଡ଼ ବଳିଦାନ ଦେବାକୁ ପଛାଇବେ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି କି, ବାପା ପ୍ରଭାତ ବିଶ୍ୱାଳ ଏବେ ପ୍ରତ୍ୟକ୍ଷ ରାଜନୀତିକୁ ଫେରିଛନ୍ତି । ତାଙ୍କ ପାଇଁ ଯଦି ଆବଶ୍ୟକ ପଡ଼େ, ତେବେ ସେ ନିଜ ରାଜନୈତିକ ଜୀବନକୁ ଉତ୍ସର୍ଗ କରି ଦେବାକୁ ମଧ୍ୟ ପ୍ରସ୍ତୁତ ।