ନୂଆଦିଲ୍ଲୀ: କଥାରେ ଅଛି ଶିଖିବା ପାଇଁ କୌଣସି ବୟସର ଆବଶ୍ୟକତା ନ ଥାଏ । ଆପଣ ଯେତେବେଳେ ଚାହିଁଲେ ଯାହା ଠାରୁ ବି ଚାହିଁଲେ କିଛି ନା କିଛି ଶିକ୍ଷା ଗ୍ରହଣ କରିପାରିବେ । ଆଜି ସେହିଭଳି ଏକ ଉଦାହରଣ ସାଜିଛନ୍ତି ଉତ୍ତର ପ୍ରଦେଶର ଅଶୋକ ବହାର । ଯିଏ ୫୭ ବର୍ଷ ବୟସରେ ବି ଡାକ୍ତର ହେବାର ସ୍ୱପ୍ନ ଦେଖୁଛନ୍ତି । ଆଉ ସେହି ସ୍ୱପ୍ନକୁ ପୂରଣ କରିବାକୁ ଦେଇଛନ୍ତି ନିଟ୍ (NEET) ପରୀକ୍ଷା ।
ଗତକାଲି ସର୍ବଭାରତୀୟ ସ୍ତରରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଉତ୍ତର ପ୍ରଦେଶ ଲକ୍ଷ୍ନୌ ମଣ୍ଟେସରୀ ସ୍କୁଲ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ସହିତ ଧାଡ଼ିରେ ଆସି ଛିଡ଼ା ହୋଇଯାଇଥିଲେ ଜଣେ ୫୭ ବର୍ଷୀୟ ବ୍ୟକ୍ତି ଅଶୋକ ବହାର । ଯାହାଙ୍କୁ ଦେଖିବା ପରେ ସମସ୍ତ ଭାବିଥିଲେ କୌଣସି ଅଭିଭାବକ ଭୁଲବଶତଃ ଧାଡ଼ିରେ ଛିଡ଼ା ହୋଇଛନ୍ତି । କିନ୍ତୁ ତାଙ୍କ ହାତରେ ଥିଲା ଆଡମିଟ୍ କାର୍ଡ ଏବଂ ସେଠାରେ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ କରୁଥିବା ଗାର୍ଡ ମଧ୍ୟ ତାଙ୍କୁ ଯାଞ୍ଚ କରିଥିଲେ । ଆଉ ସେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ । ଶେଷରେ ଅଶୋକ ନିଟ୍ ପରୀକ୍ଷା ଦେଇଥିଲେ ।
ଅଶୋକ ଆଲମବାଗ ଚନ୍ଦରନଗର ବାସିନ୍ଦା ଅଟନ୍ତି । ସେ ଖତ ପ୍ରସ୍ତୁତ କରୁଥିବା ଏକ କମ୍ପାନୀରେ ମାର୍କେଟିଂ ମୁଖ୍ୟ ଭାବେ କାର୍ୟ୍ୟ ମଧ୍ୟ କରିସାରିଛନ୍ତି । ତାଙ୍କ ପରିବାରରେ ବିଭିନ୍ନ ସଦସ୍ୟ ଚିକିତ୍ସା କ୍ଷେତ୍ର ସହିତ ଜଡ଼ିତ । ତାଙ୍କ ପତ୍ନୀ ଜଣେ ଡାକ୍ତରାଣୀ ଅଟନ୍ତି । ପତ୍ନୀ ଡାକ୍ତର ମଞ୍ଜୁଲା ବହାର ଆମେରିକାରେ ବର୍ତ୍ତମାନ ରୁହନ୍ତି । ସେଥିପାଇଁ ଅଶୋକଙ୍କ ମନରେ ମଧ୍ୟ ଡାକ୍ତରୀ ପଢ଼ିବାକୁ ଇଚ୍ଛା ଥିଲା ।
୨୦୦୨ରୁ ସେ ଅଶୋକ ନିଜର ଚାକିରୀରୁ ଅବସର ନେଇଥିଲେ । ସେ ସବୁବେଳେ ଲୋକଙ୍କ ସେବା କରିବାକୁ ଭଲ ପାଆନ୍ତି । ଔଷଧରେ ମଧ୍ୟ ତାଙ୍କର ଭଲ ଜ୍ଞାନ ଅଛି । କିନ୍ତୁ ବିନା ଡାକ୍ତରୀ ସାର୍ଟିଫିକେଟରେ ସେ ଚିକିତ୍ସା କରିପାରିବେ ନାହିଁ । ସେଥିପାଇଁ ସେ ନିଟ୍ ପରୀକ୍ଷା ଦେବାକୁ ଆସିଥିବା କହିଛନ୍ତି । ଖାଲି ସେତିକି ନୁହେଁ ଯୁବପୀଢ଼ିଙ୍କୁ ମଧ୍ୟ ନିଜର ସ୍ୱପ୍ନ ଦେଖିବାକୁ ବନ୍ଦ ନ କରିବାକୁ ପରାମର୍ଶ ଦେଇଛନ୍ତି ।