କୋଲକାତା: ଭାରତୀୟ ରାଜନୀତିରେ ଆଜି ବହୁତ ବଡ ପଟ୍ଟ ପରିବର୍ତ୍ତନ ହୋଇଛି । ପଶ୍ଚିମବଙ୍ଗରେ କ୍ଷମତାଚ୍ୟୁତ ହେବାକୁ ଯାଉଛନ୍ତି ମମତା ବାନାର୍ଜୀ । ଭୋଟ୍ ଗଣତି ଜାରି ରହିଛି, ଆଉ ବିଜେପି ପ୍ରଚଣ୍ଡ ବହୁମତ ସହ ସରକାର ଗଢିବା ଦିଗରେ ଅଗ୍ରସର ହେଉଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ମମତା ନିର୍ବାଚନ କମିଶନ ଏବଂ ପ୍ରଶାସନ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି।
ନିଜର ଭିଡିଓ ବାର୍ତ୍ତାରେ ମମତା କହିଛନ୍ତି ଯେ, ଆମେ ଏହି ନିର୍ବାଚନରେ ବାଘ ଛୁଆଙ୍କ ପରି ଲଢ଼ିଛୁ ଏବଂ ଆଗକୁ ମଧ୍ୟ ଲଢ଼ିବୁ। ବର୍ତ୍ତମାନ ଆମେ 'ଦେଖ ଏବଂ ଅପେକ୍ଷା କର' (Watch and Wait) ନୀତି ଆପଣାଇବୁ। କେହି ବି ଡରନ୍ତୁ ନାହିଁ, ଆମେ ଏହି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବୁ।
ନିର୍ବାଚନ କମିଶନ ଓ ପୋଲିସ ଉପରେ ବର୍ଷିଲେ ଦିଦି
ମମତା ବାନାର୍ଜୀ ଅଭିଯୋଗ ଆଣି କହିଛନ୍ତି ନିର୍ବାଚନ କମିଶନ ଜାଣିଶୁଣି ଭୋଟ୍ ଗଣତିକୁ ଧୀମା କରିଦେଇଛନ୍ତି ଏବଂ ଅନେକ ସ୍ଥାନରେ ଗଣତି ବନ୍ଦ କରିଦିଆଯାଇଛି। ଅତିକମରେ ୭ଟି ମେସିନ୍ ବନ୍ଦ କରିଦିଆଯାଇଛି, ଯାହା ଫଳରେ ସଠିକ୍ ଫଳାଫଳ ଆସିପାରୁ ନାହିଁ। ଅନେକ ସ୍ଥାନରେ ଭୋଟ୍ ଲୁଟ୍ ହେଉଛି ଏବଂ ଅଫିସ ଗୁଡ଼ିକରେ ଭଙ୍ଗାରୁଜା କରାଯାଉଛି। ଟିଏମସି ଏବେ ମଧ୍ୟ ୧୦୦ରୁ ଅଧିକ ଆସନରେ ଆଗୁଆ ଅଛି, କିନ୍ତୁ ତାହା ଦେଖାଯାଉ ନାହିଁ। ମମତା ଅଭିଯୋଗ କରିଛନ୍ତି ଯେ, ଆମ ପୋଲିସ ଏବେ ମାଫିଆଙ୍କ ହାତରେ ଆତ୍ମସମର୍ପଣ କରିଛି ଏବଂ ସେମାନଙ୍କ ଇସାରାରେ କାମ କରୁଛି।
ଜନତାଙ୍କୁ ଦେଲେ ଭରସା
ପରାଜୟର ଆଶଙ୍କା ସତ୍ତ୍ୱେ ମମତା ନିଜ କର୍ମକର୍ତ୍ତାଙ୍କୁ ମନୋବଳ ନ ହରାଇବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳ ପକ୍ଷରୁ କରାଯାଉଥିବା ଏହି ଷଡ଼ଯନ୍ତ୍ରର ସେ ଦୃଢ଼ ମୁକାବିଲା କରିବେ।
ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ବହୁମତ ସଂଖ୍ୟା (୧୪୮) ଅତିକ୍ରମ କରି ୧୪୯ ଆସନରେ ଆଗୁଆ ରହିଥିବା ବେଳେ ମମତାଙ୍କ ଟିଏମସି ୯୨ଟି ଆସନରେ ସୀମିତ ରହିଛି।