ନୂଆଦିଲ୍ଲୀ: ଆଜି ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ଯାଉଛି । ଆସାମ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀରେ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିବାକୁ ଯାଉଛି ଏକ ପ୍ରକାର ସ୍ପଷ୍ଟ ହୋଇସାରିଲାଣି । ସେପଟେ ତାମିଲନାଡ଼ୁରେ ନୂତନ ରାଜନୈତିକ ଦଳ ଭାବେ ଉଭା ହୋଇଥିବା ବିଜୟଙ୍କ ଦଳ ଟିଭିକେ ସାରାଦେଶକୁ ଆଶ୍ଚର୍ୟ୍ୟ କରି ଦେଇଛି । କେରଳମ୍ ରେ ଏଲଡିଏଫ୍ କୁ ହରାଇ ୟୁଡିଏଫ୍ ଶାସନ ଗାଦିରେ ବସିବାକୁ ଯାଉଛି ।
ତେବେ ପଶ୍ଚିମବଙ୍ଗ ଉପରେ ସାରା ଦେଶର ନଜର ରହିଥିଲା । ଟିଏମସି ଏବଂ ବିଜେପି ମଧ୍ୟରେ ମତ ଗଣତି ଆରମ୍ଭରୁ କଡ଼ାକଡ଼ି ଟକ୍କର ଦେଖିବାକୁ ମିଳିଥିଲା । ମାତ୍ର ପୂର୍ବାହ୍ନ ୧୧ଟା ପରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ମଧ୍ୟାହ୍ନ ୧୨ଟା ସୁଦ୍ଧା ଖବର ଲେଖାଯିବା ବେଳକୁ ବିଜେପି ୧୯୧ଟି ଆସନରେ ଆଗୁଆ ଥିବାବେଳେ ଟିଏମସି ତିନି ଅଙ୍କରୁ ଦୁଇ ଅଙ୍କକୁ ଖସି ଆସିଛି । ଟିଏମସି ୯୬ଟି ଆସନରେ ଆଗୁଆ ରହିଛି ।
ଆସାମରେ ମଧ୍ୟ ପୁଣି ହିମନ୍ତ ବିଶ୍ୱଶର୍ମାଙ୍କ ସରକାର ଆସିବାକୁ ଯାଉଛି । ଆସାମରେ ବିଜେପି ମ୍ୟାଜିକ ନମ୍ବର ଠାରୁ ବହୁ ଆଗରେ ରହିଛି । ତେବେ ପୁଡ଼ୁଚେରୀରେ ଦଳ ମାତ୍ର ଗୋଟିଏ ସିଟରେ ପଛରେ ରହିଛି । ତଥାପି ଗଣତି ଶେଷ ବେଳକୁ ଫଳାଫଳ କିଛି ଭିନ୍ନ ହେବ ବୋଲି ଆଶା ରଖିଛି ଦଳ ।
ବିଜେପିର ଏହି ବିପୁଳ ବିଜୟ ଯାତ୍ରା ପରେ ଦଳୀୟ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଦିଲ୍ଲୀଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ବିଜେପି କର୍ମାଙ୍କଠାରୁ ଆରମ୍ଭ କରି ନେତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ମୁଖ୍ୟାଳୟକୁ ଆସିବାର କାର୍ୟ୍ୟକ୍ରମ ରହିଛି । ମୋଦୀ ବିଜୟ ଉତ୍ସବରେ ଯୋଗ ଦେବା ସହିତ ଅଭିଭାଷଣ ରଖିବାର କାର୍ୟ୍ୟକ୍ରମ ରହିଛି ।