କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଆଜି ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଚାଲିଥିବା ଭୋଟ୍ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିବା ଦିଗରେ ଅଗ୍ରସର ହେଉଛି । ଅନ୍ୟପଟେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ପତନ ଘଟୁଛି । ଏଥର ନିର୍ବାଚନରେ ମାଟି କାମୁଡିବାକୁ ଯାଉଛି ଟିଏମସି । କେବଳ ଏତିକି ନୁହେଁ ମମତା ବାନାର୍ଜୀ ମଧ୍ୟ ନିଜର ଭବାନୀପୁର ସିଟରେ ଶୁଭେୁନ୍ଦୁ ଅଧିକାରୀଙ୍କଠୁ ପଛରେ ଅଛନ୍ତି ।
ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ବିଜେପି ୧୬୫ ଆସନରେ ଆଗୁଆ ରହି ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ଦିଗରେ ଆଗକୁ ବଢୁଛି । ଅନ୍ୟପଟେ ଲଗାତାର ୩ ଥର ନିର୍ବାଚନ ଜିତି ସରକାରରେ ଥିବା ଟିଏମସି ଧରାଶାୟୀ ହେଉଛି । ଦଳ ୧୨୩ ସିଟରେ ଆଗୁଆ ରହିଛି । ଗତ ନିର୍ବାଚନରେ ଦଳ ୨୧୨ ସିଟ ସରକାର ଗଢିଥିଲା । କଂଗ୍ରେସ ଖାତାକୁ ୨ଟି ସିଟ୍ ଯାଉଛି ।
ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ମୋଟ ୨୯୪ଟି ଆସନରୁ ଆଜି ୨୯୩ଟି ଆସନ ପାଇଁ ଭୋଟ୍ ଗଣତି ଚାଲିଛି। ହିଂସା ଓ ଇଭିଏମ୍ କ୍ଷତିଗ୍ରସ୍ତ ହେବା କାରଣରୁ 'ଫାଲତା' ଆସନର ନିର୍ବାଚନକୁ କମିଶନ ରଦ୍ଦ କରିଦେଇଛନ୍ତି।
ଭବାନୀପୁରରେ ହାଇଭୋଲଟେଜ୍ ଡ୍ରାମା
ସବୁଠାରୁ ବଡ଼ ଲଢ଼େଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଭବାନୀପୁରରେ ଦେଖିବାକୁ ମିଳୁଛି।ଏଠାରେ ବିଜେପିର ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ କଡ଼ା ଟକ୍କର ଦେଉଛନ୍ତି। ପ୍ରତି ରାଉଣ୍ଡ ଗଣତି ପରେ ସମୀକରଣ ବଦଳୁଛି। ପ୍ରଥମେ ମମତା ବାନାର୍ଜୀ ଆଗୁଆ ଥିବା ବେଳେ ବର୍ତ୍ତମାନ ଶୁଭେନ୍ଦୁ ଅଧିକାରୀ ଲିଡ୍ରେ ରହିଛନ୍ତି। ଏହା ସହ ନନ୍ଦୀଗ୍ରାମ ଆସନରେ ମଧ୍ୟ ଶୁଭେନ୍ଦୁ ଅଧିକାରୀ ନିଜର ଦବଦବା ବଜାୟ ରଖିଛନ୍ତି।
ଏହି ବଡ଼ ବିଜୟ ପଛରେ ଗତ ଏପ୍ରିଲ ୨୩ ଏବଂ ୨୯ ତାରିଖରେ ହୋଇଥିବା ଦୁଇଟି ପର୍ଯ୍ୟାୟର ମତଦାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗତ ମଇ ୨ ତାରିଖରେ ମଧ୍ୟ ଦକ୍ଷିଣ ୨୪ ପ୍ରଗଣାର ପ୍ରାୟ ୧୫ଟି ବୁଥରେ ସାନି ମତଦାନ ହୋଇଥିଲା।ଯଦି ଏହି ଟ୍ରେଣ୍ଡ ଜାରି ରହେ, ତେବେ ପଶ୍ଚିମବଙ୍ଗରେ ମମତାଙ୍କ ଦଶନ୍ଧିରୁ ଅଧିକ ସମୟର ଶାସନ ଶେଷ ହେବାକୁ ଯାଉଛି ଏବଂ ବିଜେପି ଏକ ନୂଆ ଇତିହାସ ରଚିବ।