ଭୁବନେଶ୍ୱର: ଆଉ କିଛି ମୁହୂର୍ତ୍ତରେ ବ୍ୟାଙ୍କ ଖାତାକୁ ପହଞ୍ଚିବ ସୁଭଦ୍ରା ଯୋଜନାର ଟଙ୍କା, ଯାହା ପାଇଁ ଅପେକ୍ଷା କରୁଥିଲେ ୧ ଲକ୍ଷ ୨୩ ହଜାର ୮୪୯ ଜଣ ବଞ୍ଚିତ ହିତାଧିକାରୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପୂର୍ବ ଘୋଷଣା ଅନୁଯାୟୀ, ଆଜି ସେମାନଙ୍କ ଖାତାକୁ ଆସିବ ଚତୁର୍ଥ କିସ୍ତିର ସହାୟତା ରାଶି।
ମାର୍ଚ୍ଚ ୮, ମହିଳା ଦିବସରେ ଯେଉଁ ମହିଳାମାନେ ବିଭିନ୍ନ ପ୍ରାୟୋଗିକ ଓ ଯାଞ୍ଚ ସମସ୍ୟାରୁ ଟଙ୍କା ପାଇ ପାରିନଥିଲେ, ସେମାନଙ୍କ ପାଇଁ ଏହା ଏକ ବଡ଼ ଖବର। ବିଭିନ୍ନ ସମସ୍ୟା କାରଣରୁ ୧ ଲକ୍ଷ ୨୩ ହଜାରରୁ ଅଧିକ ମହିଳାଙ୍କୁ ମହିଳା ଦିବସରେ ୪ର୍ଥ କିସ୍ତି ସୁଭଦ୍ରା ଟଙ୍କା ଯାଇନଥିଲା। ଏବେ ଭେରିଫିକେସନ୍ ପରେ ପୁଣି ସେମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବେ ତାଙ୍କର ଅଧିକାରର ଟଙ୍କା ସିଧାସଳଖ ଖାତାକୁ ଯିବ।
ସୁଭଦ୍ରା ଯୋଜନା ଅନୁସାରେ ୨୧ ରୁ ୬୦ ବର୍ଷ ବୟସର ମହିଳାମାନେ ଏହାର ଲାଭ ପାଇ ପାରିବେ। ୨୦୨୬-୨୭ ଆର୍ଥିକ ବର୍ଷରୁ ପ୍ରତିବର୍ଷ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ସହାୟତା ମିଳିବ। ପୂର୍ବରୁ ୪ଟି କିସ୍ତିରେ ୫୦୦୦ ଟଙ୍କା କରି ଦିଆଯାଇଥିଲା, ଯାହା ମହିଳାଙ୍କ ଆର୍ଥିକ ସଶକ୍ତିକରଣରେ ନୂତନ ଆଶା। ସରକାରଙ୍କ ଏହି ପଦକ୍ଷେପ କେବଳ ଅର୍ଥ ସହାୟତା ନୁହେଁ, ଏହା ମହିଳାଙ୍କ ସ୍ଵାଭିମାନ ଓ ସ୍ୱାଧୀନତାକୁ ଆଉ ମଜବୁତ କରିବାର ଏକ ପ୍ରୟାସ। ସୁଭଦ୍ରା ଟଙ୍କା ଆସୁଥିବା ସହିତ, ଅନେକ ପରିବାରରେ ଆସିବ ନୂଆ ଆଶା ଓ ଖୁସିର ଆଲୋକ।
ଅଧିକ ପଢନ୍ତୁ: ପ୍ରତ୍ୟକ୍ଷ ରାଜନୀତିକୁ ଫେରିଲେ ପ୍ରଭାତ: ନୂଆ ଦଳ ଗଢ଼ିବେ ନାହିଁ , କେଉଁ ଦଳକୁ ଯିବେ କହିଲେ ନାହିଁ