ଯାଜପୁର: ଯାଜପୁର ଜିଲ୍ଲା ଜେନାପୁରରେ ଏକ ଭୀଷଣ ସଡ଼କ ଦୁର୍ଘଟଣା ହୋଇଛି । ଏକ ହାଇୱାକୁ ବୋଲେରୋ ଗାଡ଼ି ପଛରୁ ଧକ୍କା ଦେବା ଫଳରେ ୫ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି । ଅନ୍ୟ ୮ ଜଣ ଗୁରୁତର ଆହତଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ପ୍ରାଥମିକ ସୂଚନା ମୁତାବକ, ଜେନାପୁର ଥାନା ବଡ଼ଚଣା ଅନ୍ତର୍ଗତ ପୁରୁଷୋତ୍ତମପୁରର ସଞ୍ଜୟନଗର, ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମର ଲୋକେ କେନ୍ଦୁଝରକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ବିବାହରେ ଯୋଗ ଦେଇ ସକାଳୁ ସକାଳୁ ଏକ ବୋଲେରୋ ଗାଡ଼ିରେ ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବୋଲେରୋଟି ଜେନାପୁର ଥାନା ବରଡ଼ା ବେହେରା ଟାଙ୍କୀ ଛକ ନିକଟରେ ଏକ ହାଇୱାକୁ ପଛରୁ ପିଟିଥିଲା । ଫଳରେ ଡ୍ରାଇଭର ସମେତ ପ୍ରାୟ ୧୩-୧୪ ଜଣ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ଜଣେ ଯୁବତୀ ଏବଂ ଜଣେ ପୁରୁଷ ଯାତ୍ରୀ ଅଛନ୍ତି । ସେହିପରି ୮ ଗୁରୁତର ଆହତଙ୍କ ମଧ୍ୟରୁ କିଛି ଜଣଙ୍କୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ତେବେ ଘଟଣା ସ୍ଥଳରେ ପୋଲିସ ପହଁଚି ଦୁଇଟି ଗାଡ଼ିକୁ ଜବତ କରିଛି । କିଭଳି କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ତାହାର ଯାଞ୍ଚ ଚାଲିଛି ।