ପୁରୀ: ଅନୈତିକ ସମ୍ପର୍କ ପାଇଁ କଙ୍ଗାରୁ କୋର୍ଟରେ ମିଳିଛି ବାସନ୍ଦ ଦଣ୍ଡ । ଘର ଆଗରେ ଗ୍ରାମବାସୀ ଉଠାଇ ଦେଲେ ପଥର ପାଚେରୀ । ଆଉ ତାରବାଡ଼ରେ ଘର ବନ୍ଦୀ କରିବା ସହିତ ବିଛାଇ ଦେଲେ କଣ୍ଟା । ଏଭଳି ଅଭାବନୀୟ ଦୃଶ୍ୟ ଆସିଛି ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଆଳିପଡ଼ା ଗ୍ରାମରୁ । ଗ୍ରାମବାସୀଙ୍କ ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ ।
ଆଳିପଡ଼ା ଗାଁ ର ଦୁର୍ଗା ଚରଣ ପରିଡ଼ାଙ୍କ ପରିବାର ଜଣେ ସଦସ୍ୟ ବଳଭଦ୍ର ପରିଡ଼ାଙ୍କର ସେହି ଗ୍ରାମରେ ଜଣେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା । ଉକ୍ତ ମହିଳାଙ୍କ ପରିବାର ଏ ନେଇ ଗାଁ କମିଟିରେ ଜଣାଇଥିଲେ । ଏହା ପରେ ଗାଁ କମିଟି ଏକ ବୈଠକ କରି ବଳଭଦ୍ର ପରିଡ଼ା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଡାକିଥିଲେ । ମାତ୍ର ସିଏ କିମ୍ବା ତାଙ୍କ ପରିବାର ବୈଠକରେ ଯୋଗ ଦେଇନଥିଲେ । ଏହା ପରେ କଙ୍ଗାରୁ କୋର୍ଟରେ ପରିବାରକୁ ସାମାଜିକ ବାସନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ନିଆଁ ପାଣି ବାସନ୍ଦ ନୁହେଁ ବରଂ ଘର ପଦାକୁ ବାହାରିବାକୁ ବି ଦିଆଯାଇନଥିଲା । ଉକ୍ତ ଯୁବକଙ୍କ ଘର ସମ୍ମୁଖରେ ପଥର ପାଚେରୀ ଉଠାଇ ସମ୍ପୂର୍ଣ୍ଣ ଆବଦ୍ଧ କରିଦିଆଯାଇଛି । ତା ସହିତ କଣ୍ଟା ତାର, କାଠର ଲିଶୁଣି ଓ ଜାଲରେ ବନ୍ଦ ଘରକୁ ସମ୍ପୂର୍ଣ କରିଦିଆଯାଇଛି । ଫଳରେ ଘର ଲୋକମାନେ ଆଉ ପଦାକୁ ବାହାରି ପାରୁ ନାହାଁନ୍ତି । ନର୍କ ଯନ୍ତ୍ରଣାଠାରୁ ବଳି ଯାଇଛି ଏଭଳି ଦଣ୍ଡ । ଏବେବି ସେହି ପରିବାର ପୁରୁଷ ଶୂନ୍ୟ । ମାଡ଼ ଭୟରେ କେହି ପୁରୁଷ ଆଉ ଘରକୁ ଆସୁ ନାହାଁନ୍ତି । ମହିଳା ପିଲା ସବୁ ଅନାହାରରେ ରହିଛନ୍ତି ।
ଏବେ ଏହି ଘଟଣା ଯାଇ ଥାନାରେ ପହଞ୍ଚିଛି । ଗାଁର ୧୦ ରୁ ଉର୍ଦ୍ଧ୍ୱ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିବା କହିଛନ୍ତି ଗଡ଼ିଶାଗୋଦା ଥାନା ଅଧିକାରୀ ଶାନ୍ତନୁ ପ୍ରଧାନ ।