ଆସାମର ତିନସୁକିଆ ଜିଲ୍ଲାର ଲେଡୋ-ଲେଖାପାଣି ଅଞ୍ଚଳରେ ଏକ ଅଫୁଟା ବୋମାକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଜନବସତି ଅଞ୍ଚଳରେ ଏହି ବୋମାକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଖବର ପାଇଁ ସ୍ଥାନୀୟ ଅଧିକାରୀ ତୁରନ୍ତ ଘେରାବନ୍ଦୀ କରିଥିଲେ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ଏହା ପରେ ବୋମାକୁ ସୁରକ୍ଷିତ ଉଦ୍ଧାର କରାଯାଇଛି ଓ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
ପ୍ରାୟ ୧୨ ଇଞ୍ଚ ଲମ୍ବ ଓ ୬ ଇଞ୍ଚ ଓସାର ବିଶିଷ୍ଟ ଏହି କଳଙ୍କିତ ବୋମାଟି ଏକ ଜନବସତି ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଖବର ପାଇଁ ତୁରନ୍ତ ଭାରତୀୟ ସେନା ଘଟଣାସ୍ଥଳକୁ ଏକ ସ୍ୱତନ୍ତ୍ର ବୋମା ନିଷ୍କ୍ରିୟକାରୀ ଦଳ ପଠାଇଥିଲେ । ପ୍ରଥମେ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା ଓ ପରେ ବୋମାକୁ ନିଷ୍କ୍ରିୟ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।
ସ୍ଥାନୀୟ ଅଧିକାରୀ ଏହି ପ୍ରକ୍ରିୟାକୁ ଅତ୍ୟନ୍ତ ସୁଚିନ୍ତିତ ଓ ବୃତ୍ତିଗତ ଭାବେ ସମ୍ପାଦନ କରିଥିବା କୁହାଯାଇଛି । ଅଫୁଟା ବୋମାର ବିପଦକୁ ଦୃଷ୍ଟିରେ ରଖି ତୁରନ୍ତ ସେନା ଦ୍ୱାରା ନିଆଯାଇଥିବା ଦୃତ ପ୍ରତିକ୍ରିୟାକୁ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି। ତେବେ ଏହି ଘଟଣା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଅଞ୍ଚଳର ସମ୍ପର୍କକୁ ମନେପକାଇଛି ।