ଗ୍ୱାଦର: ପାକିସ୍ତାନର ମହତ୍ତ୍ଵାକାଂକ୍ଷୀ ପ୍ରକଳ୍ପ 'ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର' (CPEC) କୁ ଏକ ବଡ଼ ଧକ୍କା ଲାଗିଛି। ଗ୍ୱାଦର ଫ୍ରି ଜୋନରେ କାର୍ଯ୍ୟ କରୁଥିବା ପ୍ରମୁଖ ଚୀନ କମ୍ପାନୀ 'ହାଙ୍ଗେଙ୍ଗ ଟ୍ରେଡ୍ କମ୍ପାନୀ' (Hangeng Trade Company) ନିଜର ଫ୍ୟାକ୍ଟ୍ରି ବନ୍ଦ କରିବା ସହ ସମସ୍ତ କର୍ମଚାରୀଙ୍କୁ ଛଟେଇ କରିଦେଇଛି। ଖରାପ ବ୍ୟବସାୟିକ ପରିବେଶ ଏବଂ କ୍ରମାଗତ କ୍ଷତି ଯୋଗୁଁ କମ୍ପାନୀ ଏହି ଚରମ ନିଷ୍ପତ୍ତି ନେଇଛି।
ଅନ୍ତର୍ଜାତୀୟ ଶ୍ରମ ଦିବସରେ ବନ୍ଦ ହେଲା ଫ୍ୟାକ୍ଟ୍ରି
ଆଶ୍ଚର୍ଯ୍ୟର କଥା ହେଉଛି, କମ୍ପାନୀ ମେ’ ୧ ଆନ୍ତର୍ଜାତୀୟ ଶ୍ରମ ଦିବସ ଦିନ ହିଁ ନିଜର କାର୍ଯ୍ୟକଳାପ ବନ୍ଦ କରିବାକୁ ଘୋଷଣା କରିଥିଲା। 'ଦ ଏକ୍ସପ୍ରେସ ଟ୍ରିବ୍ୟୁନ୍'ର ରିପୋର୍ଟ ଅନୁଯାୟୀ କମ୍ପାନୀ କହିଛି ଯେ "ଅଣ-ବ୍ୟବସାୟିକ କାରଣ" ଏବଂ ପ୍ରଶାସନିକ ବାଧାବିଘ୍ନ ଯୋଗୁଁ ବ୍ୟବସାୟ ଜାରି ରଖିବା ଅସମ୍ଭବ ହୋଇପଡ଼ିଛି।
ଅନ୍ତର୍ଜାତୀୟ ମାନକ ଅନୁଯାୟୀ ରପ୍ତାନି ସାମଗ୍ରୀ ପ୍ରସ୍ତୁତ ଥିଲେ ମଧ୍ୟ ସେଗୁଡ଼ିକର ସିପମେଣ୍ଟ ଅଟକି ରହିଥିଲା, ଯାହାଫଳରେ କମ୍ପାନୀ ଭାରୀ କ୍ଷତି ସହିଛି। ଗତ ୩ ମାସ ଧରି କମ୍ପାନୀ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ ମଧ୍ୟ କୌଣସି ସମାଧାନ ବାହାରି ନଥିଲା।
ସମସ୍ତ ବକେୟା ପୈଠ କରି ବିଦାୟ ନେଲା କମ୍ପାନୀ
ହାଙ୍ଗେଙ୍ଗ ଟ୍ରେଡ୍ କମ୍ପାନୀ କହିଛି ଯେ, ସେମାନେ ଫ୍ୟାକ୍ଟ୍ରି ବନ୍ଦ କରିବା ପୂର୍ବରୁ କର୍ମଚାରୀଙ୍କ ୩ ମାସର ଦରମା, ବିଦ୍ୟୁତ ବିଲ୍ ଏବଂ କଣ୍ଟେନର ଡେମୁରେଜ୍ ଚାର୍ଜ,ସମସ୍ତ ପ୍ରକାରର ଜରିମାନା ଓ ଅନ୍ୟାନ୍ୟ ଦେୟ ପୈଠ କରିଛନ୍ତି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଯଦିଓ ଚୀନ-ପାକିସ୍ତାନ ସମ୍ପର୍କ ଅତ୍ୟନ୍ତ ନିବିଡ଼, ତଥାପି ବ୍ୟବସାୟ କରିବା ପାଇଁ ଏକ ସୁଦୃଢ଼ ଏବଂ ସ୍ପଷ୍ଟ ନୀତିର ଆବଶ୍ୟକତା ରହିଛି।
ନିବେଶକଙ୍କ ପାଇଁ ସତର୍କବାଣୀ
ଏହି ଘଟଣା ଏପରି ଏକ ସମୟରେ ଘଟିଛି, ଯେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଚୀନ ଗସ୍ତ କରି ସେଠାରେ ବିଭିନ୍ନ ବ୍ୟବସାୟିକ ଫୋରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗ୍ୱାଦରରେ ଏହି କମ୍ପାନୀ ବନ୍ଦ ହେବା ଘଟଣା ବିଦେଶୀ ନିବେଶକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।