ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଟପୁର ଗ୍ରାମରେ ଦହିବରା ଖାଇବା ପରେ ଅସୁସ୍ଥ ହେବା ଘଟଣାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ପ୍ରାୟ ୫୮ ଜଣ ଏଥିରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ କେବଳ ଶିଶୁ ୨୭ ଜଣ ଥିବାବେଳେ ସେମାନଙ୍କର ଶିଶୁ ବିଭାଗ ୱାର୍ଡରେ ଚିକିତ୍ସା ଚାଲିଛି । ଆଜି କିଛି ରୋଗୀଙ୍କୁ ଘରକୁ ଛଡ଼ାଯିବା ବୋଲି ସୂଚନା ମିଳିଛି ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ସ୍ଥିତି ପରଖିଛନ୍ତି । ମନ୍ତ୍ରୀ ସମସ୍ତ ଡାକ୍ତରୀ ଟିମ୍ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ରୋଗୀଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଅସୁସ୍ଥଙ୍କ ସହ ସିଧାସଳଖ କଥା ହେବା ସହ ସରକାରଙ୍କ ତରଫରୁ ସବୁ ପ୍ରକାର ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହି ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଥିଲେ। ରୋଗ ବ୍ୟାପିବାର ପ୍ରକୃତ କାରଣ ଜାଣିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ଜଳ ଓ ଖାଦ୍ୟର ନମୂନା ସଂଗ୍ରହ କରି ପରୀକ୍ଷା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କୁ ଆତଙ୍କିତ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହାସହ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ମହାରାଜା ଯଯାତି କେଶରୀ ମେଡିକାଲ କଲେଜ, ସିଡିଏମଓଙ୍କ ଟିମ୍ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି। ଆକ୍ରାନ୍ତ ଶିଶୁମାନଙ୍କ ବିଶେଷ ଯତ୍ନ ନିଆଯିବା ସହ ଯେମିତି ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିବେ, ସେ ଦିଗରେ ଆମେ ସଜାଗ ଅଛୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଏହାସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାଟପୁର ଅଞ୍ଚଳର ମୃତକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅତିରିକ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।
ଦଶରଥପୁର ପଞ୍ଚାୟତ ତୁଳାଟିଆ ସାହି ଗ୍ରାମର ଦହିବରା ବ୍ୟବସାୟୀ ଗୁରୁଡ଼ା ସାହୁଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି । କେମିତି ଦହିବରା ବନାଇଥିଲେ ଏବଂ କେଉଁ ପାଣି ବ୍ୟବହାର କରିଥିଲେ ସେ ନେଇ ତଦନ୍ତ ଜାରି ରହିଛି ।
ସେହିପରି ଦଶରଥପୁର ବ୍ଲକ୍ର ୪ଟି ପଞ୍ଚାୟତରେ ବୁଲା ବିକାଳିଙ୍କୁ ବାରଣ କରାଯାଇଛି । କୌଣସି ବେପାରୀ ଖାଦ୍ୟ ବିକ୍ରି କରିପାରିବେ ନାହିଁ ବୋଲି ବିଡ଼ିଓ ନିର୍ଦ୍ଦେଶ ଦେଇଛନ୍ତି । ଜୟନ୍ତରା, ଦଶରଥପୁର, ଇଜାପୁର ଓ ଚମ୍ପେଇପାଳ ପଞ୍ଚାୟତରେ ଏହି କଟକଣା ଲାଗୁ ହୋଇଛି ।
ତେବେ ଏହି ଘଟଣାରେ ଜଣେ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଥିବା ସିଡିଏମଓ ସୂଚନା ଦେଇଛନ୍ତି। ଉକ୍ତ ମୃତ ବ୍ୟକ୍ତିଙ୍କ ମୃତ୍ୟୁର ତଦନ୍ତ ଚାଲିଛି । ରିପୋର୍ଟ ଆସିବା ପରେ ସହାୟତା ଘୋଷଣା କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।