ଭୁବନେଶ୍ୱର: ଓଡ଼ିଶାରେ ୨୦୨୬ ବର୍ଷର ମାଟ୍ରିକ୍ (HSC) ପରୀକ୍ଷାର ଫଳ ଆଜି ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ପାସ୍ ହାର ୯୫.୩୩ ପ୍ରତିଶତ ଥିବା ସୂଚନା ଦେଇଛି ବୋର୍ଡ। ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ସୋସିଆଲ୍ ମିଡିଆ ‘X’ ରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପରୀକ୍ଷାର ଫଳ ଯେମିତି ହେଉ, ଛାତ୍ରଛାତ୍ରୀମାନେ ହତାଶ ହେବାକୁ ନାହିଁ। ଆତ୍ମବିଶ୍ୱାସ ଓ ଦୃଢ଼ ସଙ୍କଳ୍ପ ସହିତ ଆଗକୁ ବଢ଼ିଲେ ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଏହି ଛାତ୍ରଛାତ୍ରୀମାନେ ଏକ ସମୃଦ୍ଧ ଓଡ଼ିଶା ଗଢ଼ିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ଚଳିତବର୍ଷ ଗଜପତି ଜିଲ୍ଲାରେ ପାସ ହାର ସର୍ବାଧିକ ରହିଛି। ଗଜପତିରେ ୯୯ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ସବୁଠୁ କମ୍ ପାସ୍ ହାର କେନ୍ଦୁଝର ଜିଲ୍ଲାରେ ରହିଛି। ୩୩୧୦ ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଏଥର ଫର୍ମ ପୂରଣ କରିଥିଲେ ୫,୪୪,୬୭୦ କରିଥିବା ବେଳେ ପରୀକ୍ଷା ଦେଇଥିଲେ ୫,୩୬,୩୦୬ ପରୀକ୍ଷାର୍ଥୀ। ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୩୬୪, ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫,୧୯,୨୫୧।
ଗ୍ରେଡ୍ ଅନୁଯାୟୀ ଦେଖିଲେ, ୨,୪୫୬ ଜଣ A1, ୧୫,୬୮୧ ଜଣ A2, ୪୩,୫୬୫ ଜଣ B1, ୮୬,୧୦୩ ଜଣ B2, ୧,୨୯,୮୧୩ ଜଣ C, ୧,୪୬,୧୫୨ ଜଣ D ଏବଂ ୯୫,୪୮୧ ଜଣ E ଗ୍ରେଡ୍ରେ ପାସ୍ କରିଛନ୍ତି।
ଏହି ଫଳାଫଳକୁ ବୋର୍ଡ ଅଫ୍ ସେକେଣ୍ଡାରୀ ଏଡୁକେସନ୍ (BSE), ଓଡ଼ିଶାର କାର୍ଯ୍ୟାଳୟରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି। ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ତରାଇ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଏହି ଅବସରରେ ଉପସ୍ଥିତ ଥିଲେ। ତେବେ ସାରା ରାଜ୍ୟରେ ଏହି ଫଳାଫଳକୁ ନେଇ ଖୁସିର ମାହୋଲ ଦେଖାଯାଇଛି। ଛାତ୍ରଛାତ୍ରୀଙ୍କ ପରିଶ୍ରମ ଓ ସଫଳତା ଓଡ଼ିଶାର ଶିକ୍ଷାକ୍ଷେତ୍ରକୁ ଆଉ ଆଗକୁ ନେବ ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ; ଚଳିତ ବର୍ଷ ପାସ୍ ହାର ୯୫.୩୩ ପ୍ରତିଶତ, ଏମିତି କରନ୍ତୁ ଚେକ୍