ଧର୍ମ, କଳା, ସଂସ୍କୃତି, ତନ୍ତ୍ର ଏବଂ ଦର୍ଶନର କେନ୍ଦ୍ର ହୋଇ ରହିଥିବା ବଙ୍ଗଳା ଆଉ ଥରେ ଚର୍ଚ୍ଚାକୁ ଆସିଛି । ଏଠାକାର ରାଜନୀତି କଡ ଲେଉଟାଉଛି। । ବିଗତ ୧୫ ବର୍ଷ ଧରି ବଙ୍ଗଳା ରାଜନୀତିରେ କ୍ଷମତାସୀନ ଥିବା ମମତା ବାନାର୍ଜୀଙ୍କ ହାତରୁ ସତ୍ତା ଖସିଯାଉଛି । ବିଧାନସଭା ନିର୍ବାଚନର ଫଳାଫଳ ଯେମିତି ଯେମିତି ସାମ୍ନାକୁ ଆସୁଛି, ସେମିତି ସେମିତି ଭାରତୀୟ ଜନତା ପାର୍ଟି (BJP) ସତ୍ତାର ସିଂହାସନ ଉପରେ ନିଜର ପକଡ ମଜବୁତ କରୁଥିବା ଦେଖାଯାଉଛି । ଯଦି ଏହି ଟ୍ରେଣ୍ଡଜାରି ରହେ, ତେବେ ବଙ୍ଗଳା ରାଜନୀତିରେ ଏହା ଏକ ବହୁତ ବଡ଼ ପରିବର୍ତ୍ତନ ହେବ ଏବଂ ପ୍ରଥମ ଥର ପାଇଁ ଏଠାରେ ବିଜେପି ସରକାର ଗଠନ କରିବାରେ ସଫଳ ହେବ ।
ଏହା ସହିତ, ଭାରତୀୟ ଜନତା ପାର୍ଟି ବଙ୍ଗଳାର ଇତିହାସରେ ମଧ୍ୟ ନିଜ ଛାପ ଛାଡ଼ିବ। ଭାରତୀୟ ଜନତା ପାର୍ଟି ବଙ୍ଗଳା ଇତିହାସରେ ଆଉ ଗୋଟିଏ ଦିନ ଯୋଡିବ,ଯାହା ତାହାର ଇତିହାସ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ କ୍ରାନ୍ତିକାରୀମାନଙ୍କ ଭୂମି ହୋଇ ରହିଥିବା ପଶ୍ଚିମବଙ୍ଗର ସେହି ୬ ଟି ତାରିଖ ବା ଐତିହାସିକ କ୍ଷଣ ବିଷୟରେ କହିବୁ, ଯାହା ଏଠାକାର ରାଜନୈତିକ ପୃଷ୍ଠାରେ ସଦାସର୍ବଦା ପାଇଁ ଲିପିବଦ୍ଧ ହୋଇ ରହିଛି । ଯଦି ବିଜେପି କ୍ଷମତାକୁ ଆସେ, ତେବେ ଏହା ଏଠାକାର ଇତିହାସ ବହିର ସପ୍ତମ ଚିହ୍ନ ହେବ ।
ପ୍ରଥମ ତାରିଖ: ମୁସଲିମ୍ ଶାସନର ଆରମ୍ଭ
ପଶ୍ଚିମବଙ୍ଗ ଶୈବ, ଶାକ୍ତ ଏବଂ ବୌଦ୍ଧ ସମ୍ପ୍ରଦାୟର ଗଡ଼ ହୋଇ ରହିଥିଲା । ଏଠାରେ ପାଳ ଏବଂ ସେନ ରାଜାମାନେ ଶାସନ କରିଥିଲେ । ତେବେ, ଏଠାକାର ରାଜନୀତିରେ ପ୍ରଥମ ପରିବର୍ତ୍ତନ ୧୨୦୪ ଖ୍ରୀଷ୍ଟାବ୍ଦରେ ହୋଇଥିଲା । ବଖ୍ତିୟାର ଖିଲ୍ଜୀ ଏଠାରେ ସେନ ରାଜବଂଶର ରାଜା ଲକ୍ଷ୍ମଣ ସେନଙ୍କୁ ହରାଇ ତୁର୍କୀ ଶାସନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଏହିଠାରୁ ହିଁ ପଶ୍ଚିମବଙ୍ଗରେ ମୁସଲିମ୍ ଶାସନର ଆରମ୍ଭ ହୋଇଥିଲା ।
ଦ୍ୱିତୀୟ ତାରିଖ: ରାଜମହଲର ଯୁଦ୍ଧ ଏବଂ ଆଫଗାନମାନଙ୍କ ପରାଜୟ
ବଙ୍ଗଳା ରାଜନୀତିର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ତାରିଖ ହେଉଛି ୧୫୭୬ ର ରାଜମହଲ ଯୁଦ୍ଧ । ଏହି ସଂଘର୍ଷ ବଙ୍ଗଳାରେ ମୋଗଲ ଶାସନ ପ୍ରତିଷ୍ଠା କରିବାରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ୧୨ ଜୁଲାଇ, ୧୫୭6 ରେ ଆକବରଙ୍କ ସେନାପତି ଖାନ ଜାହାନ ବଙ୍ଗଳାର ଶେଷ ସ୍ୱାଧୀନ ସୁଲତାନ ଦାଉଦ ଖାନ କର୍ରାନୀଙ୍କୁ ହତ୍ୟା କରିଥିଲେ । ଏହା ସହିତ ବଙ୍ଗଳାରେ ଆଫଗାନ ଶାସନ ଶେଷ ହେଲା ଏବଂ ଏହି ଅଞ୍ଚଳ ମଧ୍ୟ ମୁଘଲ ସାମ୍ରାଜ୍ୟରେ ସାମିଲ ହୋଇଗଲା ।
ତୃତୀୟ ତାରିଖ: ପଲାସି ଯୁଦ୍ଧ
ମୋଗଲଲ ସାମ୍ରାଜ୍ୟରେ ସାମିଲ ହେବା ପରେ ଦୀର୍ଘ ସମୟ ଧରି ବଙ୍ଗଳାରେ ନବାବମାନଙ୍କ ଶାସନ ଚାଲିଲା । ଏହାର ଶେଷ ଶାସକ ସିରାଜୁଦ୍ଦୌଲା ଥିଲେ । ତେବେ, ୧୭୫୭ ରେ ଇଷ୍ଟ ଇଣ୍ଡିଆ କମ୍ପାନୀର ରବର୍ଟ କ୍ଲାଇଭ ସିରାଜୁଦ୍ଦୌଲାଙ୍କୁ ପଲାସୀ ଯୁଦ୍ଧରେ ହରାଇ ଦେଇଥିଲେ । ଏହିଠାରୁ ହିଁ ପଶ୍ଚିମବଙ୍ଗ ସହିତ ଭାରତରେ ବ୍ରିଟିଶ ଶାସନର ଆରମ୍ଭ ହୋଇଥିଲା ।
ଚତୁର୍ଥ ତାରିଖ: ବକ୍ସାର ଯୁଦ୍ଧ
ବଙ୍ଗଳା ରାଜନୀତିର ଚତୁର୍ଥ ନିର୍ଣ୍ଣାୟକ ତାରିଖ ହେଉଛି ୧୭୬୪ । ଏହି ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀର ସେନା ବିରୋଧରେ ମୋଗଲ ସମ୍ରାଟ ଶାହ ଆଲମ ଦ୍ୱିତୀୟ, ବଙ୍ଗଳାର ନବାବ ମୀର କାସିମ, ମହାରାଜା ବଲବନ୍ତ ସିଂହ ଏବଂ ଅବଧର ନବାବ ସୁଜା-ଉଦ୍-ଦୌଲାଙ୍କ ମିଳିତ ସେନା ଯୁଦ୍ଧ ଲଢ଼ିଥିଲେ । ଏହି ଚ୍ୟାଲେଞ୍ଜପୂର୍ଣ୍ଣ ଯୁଦ୍ଧରେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ବିଜୟ ହାସଲ ହେଲା ଏବଂ ହାରିଥିବା ଭାରତୀୟ ଶାସକମାନଙ୍କୁ ସନ୍ଧିରେ ସ୍ୱାକ୍ଷର କରିବା ପାଇଁ ବାଧ୍ୟ କରାଗଲା । ଏହା ସହିତ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ବଙ୍ଗଳା, ବିହାର ଏବଂ ଓଡ଼ିଶାର ଦିୱାନୀ ଅଧିକାର ପ୍ରାପ୍ତ ହେଲା ।
ପଞ୍ଚମ ତାରିଖ: କଂଗ୍ରେସର ପରାଜୟ ଏବଂ ଲେଫ୍ଟର ଉଦୟ
ଦେଶର ସ୍ୱାଧୀନତା ପରେ ଅନ୍ୟ ରାଜ୍ୟ ଭଳି ବଙ୍ଗଳାରେ ମଧ୍ୟ କଂଗ୍ରେସ ସରକାର ଦୀର୍ଘ ସମୟ ଧରି କ୍ଷମତାସୀନ ରହିଥିଲା । ତା’ପରେ ସେହି ପଞ୍ଚମ ତାରିଖ ଆସିଲା, ଯାହା ପଶ୍ଚିମବଙ୍ଗ ରାଜନୀତିକୁ ସମ୍ପୂର୍ଣ୍ଣ ଭାବେ ଓଲଟାଇ ଦେଲା । ୧୯୪୭ ରୁ ୧୯୭୬ ପର୍ଯ୍ୟନ୍ତ କଂଗ୍ରେସ ଶାସନ ପରେ ୧୯୭୭ ରେ କଂଗ୍ରେସକୁ ସତ୍ତାରୁ ବାହାର କରି ବାମମୋର୍ଚ୍ଚା ସତ୍ତାକୁ ଆସିଲା ଏବଂ ଜ୍ୟୋତି ବସୁ ମୁଖ୍ୟମନ୍ତ୍ରୀ ହେଲେ । ବାମମୋର୍ଚ୍ଚା ବଙ୍ଗଳା ରାଜନୀତିରେ ନିଜର ଚେର ଏତେ ଗଭୀର କରିଥିଲା ଯେ ପରବର୍ତ୍ତୀ ୩୪ ବର୍ଷ ପର୍ଯ୍ୟନ୍ତ ତାକୁ କେହି ହଲାଇ ପାରିନଥିଲେ ।
ଷଷ୍ଠ ତାରିଖ: ପଶ୍ଚିମବଙ୍ଗରେ ମମତା ସରକାର
ପଶ୍ଚିମବଙ୍ଗର ରାଜନୈତିକ ଇତିହାସରେ ୨୦୧୧ ଏକ ବଡ଼ ପରିବର୍ତ୍ତନର ବର୍ଷ ହୋଇ ରହିଲା । ରାଜ୍ୟ ରାଜନୀତିରେ ମମତା ବାନାର୍ଜୀଙ୍କ ଉଦୟ ବଡ଼ ଟର୍ଣ୍ଣିଂ ପଏଣ୍ଟ (turning point) ସାବ୍ୟସ୍ତ ହୋଇଥିଲା । ୨୦୧୧ ର ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ (TMC) ୩୪ ବର୍ଷର ବାମମୋର୍ଚ୍ଚା ଶାସନକୁ ଓପାଡି ଫୋପାଡି ଥିଲା ଏବଂ ୧୮୪ ଟି ଆସନ ଜିତି ସରକାର ଗଠନ କଲା । ଏହା ପରେ ମମତାଙ୍କର ଏଭଳି ଯୁଗ ଆସିଲା ଯେ ପଶ୍ଚିମବଙ୍ଗ ରାଜନୀତିର ପର୍ଯ୍ୟାୟ ହିଁ ମମତା ବାନାର୍ଜୀ ବନିଗଲେ ।
ସପ୍ତମ ତାରିଖ: ବନିବ କି ବିଜେପି ସରକାର?
ପଶ୍ଚିମବଙ୍ଗ ରାଜନୀତି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। । ୪ ମଇ, ୨୦୨୬ ଅର୍ଥାତ୍ ବିଧାନସଭା ନିର୍ବାଚନର ଫଳାଫଳ ଦିନ ମଧ୍ୟ ଏଠାକାର ରାଜନୈତିକ ଇତିହାସରେ ଅମର ହେଉଥିବା ଦେଖାଯାଉଛି । ନିର୍ବାଚନ କମିଶନଙ୍କ ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡକୁ ଦେଖିଲେ, ଭାରତୀୟ ଜନତା ପାର୍ଟି ଏଠାରେ ସ୍ପଷ୍ଟ ବହୁମତ ପାଉଥିବା ଦେଖାଯାଉଛି, ଅନ୍ୟପକ୍ଷରେ ପ୍ରାୟ ୧୫ ବର୍ଷ ପରେ ମମତା ବାନାର୍ଜୀଙ୍କ ଶାସନର ଅନ୍ତ ହେଉଥିବା ଦେଖାଯାଉଛି ।