ପଶ୍ଚିମବଙ୍ଗ ରାଜନୀତିରେ ଏବେ ଚମତ୍କାର ମୋଡ଼ ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ଧରି ଅଭେଦ୍ୟ ଥିବା ଟିଏମସିର ଗଡ଼ ଏଥର କମ୍ପି ଉଠିଛି। “ଦିଦି vs ଦାଦା”ର ରୋମାଞ୍ଚକର ଲଢେଇ ମଧ୍ୟରେ ଜନାଦେଶ ବଦଳୁଥିବାର ସ୍ପଷ୍ଟ ସଙ୍କେତ ମିଳୁଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ୧୯୦ଟି ଆସନରେ ଆଗୁଆ ଥିବା ବେଳେ, ଟିଏମସି କେବଳ ୧୦୦ଟି ଆସନରେ ସୀମିତ ଯାହା ରାଜନୈତିକ ପଟଭୂମିକୁ ଦୋହଲାଇଛି।
ପଶ୍ଚିମବଙ୍ଗ ରାଜନୀତିରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚିତ ହୋଇଛି ପାନିହାଟି ଆସନ। ଏଠାରେ ନିର୍ବାଚନ ଲଢ଼ୁଛନ୍ତି ଆର୍ଜି କର୍ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ରତ୍ନା ଦେବନାଥ। ବିଜେପି ଟିକେଟ୍ରେ ନିର୍ବାଚନ ଲଢ଼ୁଥିବା ରତ୍ନା ଦେବନାଥ ଗଣତିରେ ୫୦୦୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ତାଙ୍କ ବିପକ୍ଷରେ ଟିଏମସିର ଭେଟରାନ ତୀର୍ଥାଙ୍କର ଘୋଷ ରହିଥିଲେ ମଧ୍ୟ, ଏଥର ପରିସ୍ଥିତି ପୁରା ବଦଳି ଯାଇଛି। ପୂର୍ବରୁ ଏହି ଆସନରେ ଟିଏମସି ଲଗାତାର ଜିତୁଥିବା ସତ୍ତ୍ୱେ, ଏବେ ହାୱା ପୂରା ବିପରୀତ।
ଦିନ ୧୨ଟା ୨୦ ସୁଦ୍ଧା ପାନିହାଟି ଆସନରେ ୨ ରାଉଣ୍ଡ ଗଣତି ସରିଛି। ଆଉ ଦୁଇ ରାଉଣ୍ଡରେ ରତ୍ନା ଦେବନାଥ ମୋଟ ୧୩ ହଜାର ୭୮୪ ଭୋଟ୍ ପାଇଛନ୍ତି। ଟିଏମ୍ସିର ତୀର୍ଥଙ୍କର ଘୋଷଙ୍କ ଠାରୁ ରତ୍ନା ଦେବନାଥ ୫ ହଜାର ୬୭ ଖଣ୍ଡ ଭୋଟ୍ରେ ଆଗୁଆ ଅଛନ୍ତି ।
କାହିଁକି ପାନିହାଟି ଆସନକୁ ନେଇ ଏତେ ଚର୍ଚ୍ଚା?
ଚଳିତ ନିର୍ବାଚନରେ ବେଶ୍ ଚର୍ଚ୍ଚାରେ ରହିଛି ଏହି ବିଧାନସଭା ଆସନ। କେବଳ ରାଜନୈତିକ ଦୃଷ୍ଟିରୁ ନୁହେଁ ବରଂ ଭାବନାତ୍ମକ ଭାବେ ଲୋକଙ୍କ ମନରେ ରହିଛି ପାନିହାଟି। ଏହି ଆସନରୁ ବିଜେପି ରତ୍ନା ଦେବନାଥଙ୍କୁ ପ୍ରାର୍ଥୀ କରିଛି। ରତ୍ନା ଦେବନାଥ ହେଉଛନ୍ତି ଆର୍ଜି କର ପୀଡ଼ିତାଙ୍କ ମାଆ। ଯେଉଁଥିପାଇଁ ଲୋକଙ୍କ ନିକଟରେ ରତ୍ନାଙ୍କ ଏକ ସ୍ଵତନ୍ତ୍ର ପରିଚୟ ରହିଛି।
ବିଜେପି ରତ୍ନାଙ୍କୁ ପ୍ରାର୍ଥୀ କରି ବାଜି ପଲଟାଇ ଦେଇଛି। ଏବେ ରତ୍ନାଙ୍କୁ ଆଶା ଅନୁସାରେ, ସହାନୁଭୂତି ଓ ନ୍ୟାୟ ଭିକ୍ଷା ଆଧାରରେ ଭୋଟ୍ ମିଳିଛି। ପାନିହାଟି ଆସନର ମୁକାବିଲା କେବଳ ସେଇଠି ସୀମିତ ନାହିଁ ବରଂ ଏହା ରାଜ୍ୟର ବ୍ୟାପକ ରାଜନୈତିକ ଦିଗର ସଂକେତ ଦେଉଛି। ଯଦି ରତ୍ନା ଦେବନାଥ ଏହି ଟ୍ରେଣ୍ଡକୁ ପ୍ରତି ରାଉଣ୍ଡର ବଜାୟ ରଖନ୍ତି, ତାହେଲେ ଏହା ବିଜେପି ଲାଗି ଏକ ଗୁରୁତ୍ତ୍ଵପୂର୍ଣ୍ଣ ବିଜୟୀ ସାବ୍ୟସ୍ତ ହେବ। ବିଜେପିର ଏହି ଗୋଟି ଚାଳନାକୁ “ମାଷ୍ଟରଷ୍ଟ୍ରୋକ” ବୋଲି କୁହାଯାଉଛି। ଏହି ଟ୍ରେଣ୍ଡ ଯଦି ଅନ୍ତିମ ଫଳାଫଳରେ ପରିଣତ ହୁଏ, ତେବେ ପଶ୍ଚିମବଙ୍ଗର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ଯେଉଁଠାରେ ଦୀର୍ଘଦିନର ସମୀକରଣ ପୂରାପୂରି ବଦଳିଯିବ।
ଅଧିକ ପଢନ୍ତୁ: ପଶ୍ଚିମବଙ୍ଗରେ ପରାଜୟକୁ ନେଇ ମମତା ବାନାର୍ଜୀଙ୍କ ସୋସିଆଲ ମିଡିଆ ପୋଷ୍ଟ, ଜାଣନ୍ତୁ କଣ କହିଲେ