ନୂଆଦିଲ୍ଲୀ: ସୋମବାର ପଶ୍ଚିମବଙ୍ଗରେ ମତ ଗଣନା ଜାରି ରହିଥିବାବେଳେ ହିଂସାର ଖବର ଆସିଛି । ଆସନସୋଲରେ ମତ ଗଣନା କେନ୍ଦ୍ର ଠାରୁ ମାତ୍ର କିଛି ଦୂରରେ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ମୃଦ୍ୟୁ ଲାଠି ଚାଳନା କରିବାକୁ ପଡ଼ିଛି ।
ଏଥିପାଇଁ ଟିଏମସି ବିଜେପି ଉପରେ ଅଭିଯୋଗ ଆଣିଛି । ବିଜେପି କାର୍ଯ୍ୟକର୍ତ୍ତାମାନେ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ଦଳ ଅଭିଯୋଗ କରିଛି । ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଛି । ଖବର ପାଇ ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ତୁରନ୍ତ ପହଁଚିଥିଲେ । ସ୍ଥିତି ଅଣାୟତ ହେଉଥିବା ଦେଖି ସୁରକ୍ଷା କର୍ମୀ ଲାଠି ଚାର୍ଜ କରିଥିଲେ । ଲାଠି ମାଡ଼ ପରେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ । କିଛି ସମୟରେ ପରେ ଉତ୍ତେଜନା ପରିସ୍ଥିତିରେ ସୁଧାର ଆସିଥିଲା ।
ସେହିପରି ବାଙ୍କୁରା ବିଶ୍ୱବିଦ୍ୟାଳୟରେ ମତଗଣନା ଜାରି ରହିଥିବାବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ସେଠାରେ ମଧ୍ୟ ଟିଏମସି ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ସେଠାରେ ମଧ୍ୟରେ ପୋଲିସ ଲାଠି ଚାର୍ଜ କରିଛି ।
ଖବର ଲେଖାଯିବା ବେଳକୁ ପଶ୍ଚିମବଙ୍ଗରେ ଭୋଟ୍ ଗଣତି ଜାରି ରହିଥିଲା । 194ଟି ସିଟରେ ବିଜେପି ଆଗରେ ରହିଥିବାବେଳେ ଟିଏମସି 94ଟି ସିଟରେ ଆଗୁଆ ରହିଛି । ବଙ୍ଗରେ ବିଜେପି ଶାସନ ଆରମ୍ଭ ହେବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି ।