ଚେନ୍ନାଇ: ତାମିଲନାଡୁର ରାଜନୈତିକ ଇତିହାସରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । ସମସ୍ତଙ୍କୁ ଚକିତ କରି ଅଭିନତାରୁ ନେତା ପାଲଟିଥିବା ଥଲାପତି ବିଜୟଙ୍କ ପାର୍ଟି ଟିଭିକେ ପ୍ରଚଣ୍ଡ ବିଜୟ ଆଡକୁ ଅଗ୍ରସର ହେଉଛି । ୨୩୪ ଆସନ ବିଶିଷ୍ଟ ତାମିଲନାଡୁରେ ବିଜୟଙ୍କ ଦଳ ୧୦୦ରୁ ଅଧିକ ଆସନରେ ଆଗୁଆ ରହି ସମସ୍ତଙ୍କୁ ଚକିତ କରିଦେଇଛି। ୫୧ ବର୍ଷୀୟ ବିଜୟଙ୍କ ଏହି ରାଜନୈତିକ ସଫଳତା ପଛରେ ତାଙ୍କର ୫ଟି ବଡ଼ 'ମାଷ୍ଟରଷ୍ଟ୍ରୋକ୍' ପ୍ରତିଶ୍ରୁତି ରହିଛି ବୋଲି କୁହାଯାଉଛି।
ବିଜୟଙ୍କ ସେହି ୫ଟି ବଡ଼ ପ୍ରତିଶ୍ରୁତି ଯାହା ଭୋଟରଙ୍କୁ ଆକୃଷ୍ଟ କଲା
୧. କନ୍ୟା ରତ୍ନ ପାଇଁ ୮ ଗ୍ରାମ ସୁନା
ବିଜୟ ପ୍ରତିଶ୍ରୁତି ଦେଇଥିଲେ ଯେ, ଯଦି ସେ କ୍ଷମତାକୁ ଆସନ୍ତି ତେବେ ରାଜ୍ୟର ପ୍ରତ୍ୟେକ ଯୁବତୀଙ୍କୁ ବିବାହ ସମୟରେ ସରକାରଙ୍କ ପକ୍ଷରୁ ୮ ଗ୍ରାମ ସୁନା ଏବଂ ଏକ ରେଶମ ଶାଢ଼ୀ ଉପହାର ସ୍ୱରୂପ ଦିଆଯିବ।
୨. ମହିଳାଙ୍କୁ ମାସିକ ୨୫୦୦ ଟଙ୍କା
ତାଙ୍କ ଦଳ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିମାସରେ ୨୫୦୦ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଛି। ଏହା ସହ ବୃଦ୍ଧ ଓ ଦିବ୍ୟାଙ୍ଗମାନଙ୍କ ପେନସନକୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
୩. ଭୂମିହୀନଙ୍କୁ ମାଗଣା ଜମି
ଯେଉଁ ଗରିବ ଲୋକଙ୍କ ପାଖରେ ନିଜସ୍ୱ ଜମି ନାହିଁ, ସେମାନଙ୍କୁ ସରକାରୀ ଜମିରୁ ମାଗଣାରେ ଜମି ପଟ୍ଟା ଯୋଗାଇ ଦେବାକୁ ବିଜୟ ଘୋଷଣା କରିଥିଲେ।
୪. ମାଗଣା ବିଜୁଳି ଓ ଗ୍ୟାସ ସିଲିଣ୍ଡର
ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଏବଂ ବର୍ଷକୁ ୬ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଦେବାକୁ TVK ପ୍ରତିଶ୍ରୁତି ଦେଇଛି। ଏହା ସହ ମହିଳାମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେବା କଥା ମଧ୍ୟ କୁହାଯାଇଛି।
୫. ଯୁବପିଢ଼ିଙ୍କ ପାଇଁ ଚାକିରି ଓ ସହାୟତା
ଗ୍ରାଜୁଏସନ ପାସ୍ କରିଥିବା ବେକାର ଯୁବକଯୁବତୀଙ୍କୁ ମାସିକ ୪୦୦୦ ଟଙ୍କା ବେକାରୀ ଭତ୍ତା ଏବଂ ଆଗାମୀ ୫ ବର୍ଷରେ ୫ ଲକ୍ଷ ସରକାରୀ ଚାକିରି ଦେବାକୁ ବିଜୟ ପ୍ରତିଶ୍ରୁତି ଦେଇଛନ୍ତି।