ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଟ୍ରେଣ୍ଡ ଦେଶର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ଦେଉଛି। ଯଦି ଏହି ଟ୍ରେଣ୍ଡଫଳାଫଳରେ ପରିଣତ ହୁଏ, ତେବେ ଦେଶର ବିରୋଧୀ ଦଳର ମୁଖ୍ୟ ଚେହେରାମାନେ କ୍ଷମତା ବାହାରକୁ ଚାଲିଯିବେ ଏବଂ ଭାରତୀୟ ରାଜନୀତିରେ ବିଜେପିର ଦବଦବା ଆହୁରି ବଢ଼ିବ। ଦେଶରେ ପୂରା ବିରୋଧୀ ଦଳର ସମୀକରଣ ବଦଳିଯିବ । ଅନ୍ୟପଟେ ଆଞ୍ଚଳିକ ଦଳ ଦୁର୍ବଳ ହେବାର ଫାଇଦା ମଧ୍ୟ କଂଗ୍ରେସକୁ ମିଳିପାରେ ।
ବିରୋଧୀ ଦୁର୍ଗରେ ବିଜେପିର ପ୍ରଚଣ୍ଡ ବହୁମତ
ପଶ୍ଚିମବଙ୍ଗ: ସବୁଠାରୁ ବଡ଼ ରାଜନୈତିକ ଘଟଣା କ୍ରମ ଫଳାଫଳ ପଶ୍ଚିମବଙ୍ଗରୁ ମିଳୁଛି, ଯେଉଁଠାରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ଦୀର୍ଘ ଦିନର ଶାସନ ପରେ ମମତା ବାନାର୍ଜୀଙ୍କ ପରାଜୟ ବିରୋଧୀ ଶିବିର ପାଇଁ ଏକ ଶକ୍ତ ଧକ୍କା। କାରଣ ମମତା ହିଁ ଏକମାତ୍ର ରାଜନେତା ଥିଲେ ଯିଏ ବିଜେପିକୁ କଡା ଟକ୍କର ଦେବା ସହ ଆଖିରେ ଆଖି ମିଶାଇ କଥା ହୋଇ ପାରୁଥିଲେ ।
ତାମିଲନାଡୁ ଓ କେରଳ: ତାମିଲନାଡୁରେ ଏମ.କେ. ଷ୍ଟାଲିନ୍ ଏବଂ କେରଳରେ ପିନରାୟୀ ବିଜୟନଙ୍କ ସରକାର ମଧ୍ୟ ସଙ୍କଟରେ ରହିଛି। ତାମିଲନାଡୁରେ ନୂଆ ଦଳ 'ଟିଭିକେ' (ଟିଭିକେ) ଷ୍ଟାଲିନଙ୍କ କ୍ଷମତା ଛଡ଼ାଇ ନେବା ସ୍ଥିତିରେ ଅଛି। ଏମକେ ଷ୍ଟାଲିନ ଓ ପିନରାୟୀ ବିଜୟନ ହେଉଛନ୍ତି ବିଜେପିର ପରମ ବିରୋଧୀ । ଏହି ଦୁଇ ନେତା ନିଜ ନିଜ ରାଜ୍ୟରୁ କ୍ଷମତାଚ୍ୟୁତ ହେବା ବିଜେପି ପାଇଁ ଭଲ ସଙ୍କେତ ।
ବିରୋଧୀ ଚେହେରାଙ୍କ ପତନର ଜାରି
ବିରୋଧୀ ଦଳର ବିଖଣ୍ଡିତ ହେବା ପ୍ରକ୍ରିୟା ଫେବୃଆରୀ ୨୦୨୫ରୁ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ପରାଜୟରୁ ଆରମ୍ଭ ହୋଇଥିଲା। ଏହାପରେ ବିହାରରେ ନୀତୀଶ କୁମାର ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି। ଏବେ ମମତା ବାନାର୍ଜୀ, ଏମ.କେ. ଷ୍ଟାଲିନ୍ ଏବଂ ପିନରାୟୀ ବିଜୟନଙ୍କ ପରି ପ୍ରମୁଖ ବିରୋଧୀ ନେତାମାନେ ସତ୍ତାରୁ ବାହାର ହେବାକୁ ଯାଉଛନ୍ତି।
କଂଗ୍ରେସକୁ କିଭଳି ହେବ ଫାଇଦା ?
ଏହି ନିର୍ବାଚନ ଫଳାଫଳ ବିଜେପି ପାଇଁ ଉତ୍ସାହଜନକ ହୋଇଥିଲେ ମଧ୍ୟ କଂଗ୍ରେସ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ନେଇ ଆସିଛି। ଏହାର ଦୁଇଟି ମୁଖ୍ୟ କାରଣ ହେଉଛି
୧. କେରଳରେ ବିଜୟ ସମ୍ଭାବନା: କେରଳରେ ବାମପନ୍ଥୀ ସରକାରର ପତନ ପରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ସରକାର ଗଢ଼ିବାର ସମ୍ଭାବନା ଅଛି। ଏହା ଦ୍ୱାରା ଦଳର ଆତ୍ମବିଶ୍ୱାସ ବଢ଼ିବ।
୨. ରାହୁଲ ଗାନ୍ଧୀଙ୍କ ଗ୍ରହଣୀୟତା: ମମତା ବାନାର୍ଜୀ, ଷ୍ଟାଲିନ୍ ଏବଂ କେଜ୍ରିୱାଲଙ୍କ ପରି ପ୍ରଭାବଶାଳୀ ନେତାମାନେ କ୍ଷମତାଚ୍ୟୁତ ହେବା ପରେ, ବିରୋଧୀ ଦଳର ଏକମାତ୍ର ଶକ୍ତିଶାଳୀ ଚେହେରା ଭାବେ ରାହୁଲ ଗାନ୍ଧୀଙ୍କ ସ୍ୱୀକାର୍ଯ୍ୟ ଆହୁରି ବଢ଼ିବ। ତାଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ବିରୋଧୀ ଶିବିରରେ ଆଉ କୌଣସି ବଡ଼ ମୁଖ୍ୟମନ୍ତ୍ରୀ ବାକି ରହିବେ ନାହିଁ।